ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

0
52

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୩୦/୦୭) : ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ ।

ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ହାତୀ ଘଉଡ଼ାଇବା ବେଳେ ଏହି ଘଟଣା ଘଟିଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ବନ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକ ହାତୀ ଘଉଡ଼ାଉ ଥିବା ବେଳେ ହାତୀଙ୍କ ସହିତ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା । ସେହି ସମୟରେ ନିଆଁ ହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ସେଥିରେ ପ୍ରହାର କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓଟି ଭାଇରାଲ ହେବା ପରେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା ।

ଏହି ଘଟଣାର ତଦନ୍ତ ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ନିର୍ଦେଶ ଦେଇଥିଲେ । ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀ ସଫେଇ ଦେଇଥିଲେ ଯେ ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲା ଓ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ସେଥିପାଇଁ ସେମାନେ ଛାନିଆ ହୋଇ ହାତୀକୁ ନିଆଁହୁଳାରେ ପିଟିଥିଲେ । ତେବେ ବନ ବିଭାଗ ପକ୍ଷରୁ ପୂରା ଘଟଣାକୁ ତର୍ଜମା କରାଯାଇ ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ।