Friday, March 29, 2024

Top 5 This Week

Related Posts

ଲାଞ୍ଚ ନେଇ ଫସିଗଲେ ମହିଳା ଏଏସ୍‌ଆଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୯/୦୭) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ । ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍‌ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।

ଏକ ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିଲେ ଏଏସଆଇ ଦୀପିକା ହୀରା । ପ୍ରାଥମିକ ତଦନ୍ତ ପରେ ଦଶମନ୍ତପୁର ଥାନା ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛି ଜୟପୁର ଭିଜିଲାନ୍ସ ଟିମ୍ । ଉଭୟ ଏଏସ୍‌ଆଇ ଓ ଆଇଆଇସିଙ୍କୁ ଭିଜିଲାନ୍ସ ଟିମ୍ ପଚରାଉଚରା ପାଇଁ ଜୟପୁର ନେଇଛି । ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ । ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ ।

ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍‌ଆଇ ନିର୍ମଳ କୁମାର ସେନାପତି ।

୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ । ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ । ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହ୍ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ । ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ ।

Popular Articles