1. Big News : ନାହିଁ ନାହିଁରେ ଚାଲିଛି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

0
61
ନାହିଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୭) : ନାହିଁ ନାହିଁରେ ଚାଲିଛି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଗଜପତି ଜିଲ୍ଲା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୧ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି । କିନ୍ତୁ ୭ ଜଣ ମାତ୍ର ଡାକ୍ତର ବର୍ତ୍ତମାନ ଅଛନ୍ତି ।

ସେ ଭିତରୁ ୪ ଜଣ ଚୁକ୍ତି-ଭିତ୍ତିକ ପଦବୀରେ ଥିବା ବେଳେ ୩ ଜଣ ସ୍ଥାୟୀ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଜଣା ପଡିଛି । କୌଣସି ବିଶେଷଜ୍ଞ କି ମହିଳା ଡାକ୍ତର ନାହାଁନ୍ତି । ପୂର୍ବରୁ ଜଣେ ମହିଳା ଏମ୍ ବି ବି ଏସ୍ ଡାକ୍ତର ଥିଲେ । ତାଙ୍କୁ ବର୍ତ୍ତମାନ ଅନ୍ୟତ୍ର ଅବସ୍ଥାପିତ କରା ଯାଇଥିବା ଜାଣିବାକୁ ମିଳିଛି । ସେହିପରି ଡେଣ୍ଟାଲ ସର୍ଜନଙ୍କ ବଦଳି ପରେ ଉକ୍ତ ପଦବୀ ବି ଖାଲି ପଡିଛି । କାଶୀନଗରବାସୀଙ୍କ ବାରମ୍ବାର ଦାବି ଓ କାଶୀନଗର ନାଗରିକ ମହାସଭାର ଆନ୍ଦୋଳନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ସପ୍ତାହରେ ଦୁଇ ଦିନ କାଶୀନଗର ଆସୁଥିଲେ। ବର୍ତ୍ତମାନ ସେ ଆଉ ଆସୁ ନଥିବା ଜଣା ପଡିଛି ।

ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଗର୍ଭବତୀ ଓ ଆସନ୍ନପ୍ରସବା ମହିଳାମାନେ ବହୁ ପୀଡା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରୁ ବିଶେଷଜ୍ଞ ଡାକ୍ତର ଥିବା ବେଳେ ଦୈନିକ ହାରାହାରି ୨୦୦ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିଲେ । ବର୍ତ୍ତମାନ ମାତ୍ର ୮୦ ରୁ ୧୦୦ ଭିତରେ ରୋଗୀ ଆସୁଛନ୍ତି । ଭାରପ୍ରାପ୍ତ ମେଡିକାଲ ଅଫିସର ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ, ଉପଲବ୍ଧ ସୁବିଧା ସୁଯୋଗ ଆଧାରରେ ଯେତିକି ସମ୍ଭବ ସେତିକି ନିଷ୍ଠାର ସହ କରାଯାଉଛି। ସେ ବି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂଆ ବିଲଡିଂ ନିର୍ମାଣାଧୀନ ଅବସ୍ଥାରେ ରହିଛି ଓ ଏଯାବତ ହସ୍ତାନ୍ତରିତ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ।

ତେବେ ଆଗାମୀ ଏକ ମାସ ଭିତରେ ଏହା ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳି ଯାଇପାରେ ବୋଲି ତାଙ୍କର ଆଶା ରହିଛି । ଏହା ଛଡା ଶ୍ରୀ ପଣ୍ଡାଙ୍କ ସୂତ୍ରରୁ ଏହା ବି ଜଣା ପଡିଛି ଯେ, ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିଲେ ବି ସେମାନଙ୍କ ପାଇଁ ୪ଟି କ୍ୱାର୍ଟର ହିଁ ରହିଛି । ସେଥିରୁ ପୁଣି ଦୁଇଟି ମାତ୍ର ବାସୋପଯୋଗୀ, ଅନ୍ୟ ଦୁଇଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଓ ସାପମାନଙ୍କ କ୍ରୀଡାଭୂଇଁ ପାଲଟିଛି । ଅଧିକାଂଶ ଡାକ୍ତର ତେଣୁ ବାଧ୍ୟ ହୋଇ ଭଡ଼ାଘରେ ରହୁଛନ୍ତି ।

ନାହିଁ ନାହିଁରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଖାଲି ପଡିଥିବା ସମସ୍ତ ବିଶେଷଜ୍ଞ ପଦବୀ ପୂରଣ, ଅତି କମ୍ ରେ ଜଣେ ମହିଳା ଗାଇନିକ୍ ସ୍ପେସିଆଲିଷ୍ଟ ନିଯୁକ୍ତି ଓ ସବୁ ଡାକ୍ତରଙ୍କ ପାଇଁ କ୍ୱାର୍ଟର ନିର୍ମାଣ ସକାଶେ ଜନସାଧାରଣ ଦାବି କରିଛନ୍ତି । ଉତ୍ତମ ସେବା ମିଳୁ ନାହିଁ, ସ୍ୱାସ୍ଥ୍ୟ ପାଇଁ ଲୋକେ ବାହାର ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି ।