ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା/ଗୁଣପୁର (୧୪/୦୬): ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଆଜି ରାମନାଗୁଡା ବ୍ଲକର ଶୁଣ୍ଢିଧାମୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଳୁପାଇ ଗ୍ରାମରେ ମନରେଗା ଯୋଜନାରେ ଚାଲୁ ରହିଥିବା ନୂତନ ପୋଖରୀ ଖନନ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବୁଲି ଦେଖିବା ଏବଂ ଶ୍ରମିକ ମାନଙ୍କ ମଜୁରୀ ଠିକ ଭାବରେ ପାଉଛନ୍ତି ନା ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହି ପଚାରି ବୁଝିଥିଲେ ।

ଏହାପରେ ଜିଲ୍ଳାପାଳ ଆଲୁବାଡି ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ କାମ ବୁଲି ଦେଖିଥିଲେ । ନିର୍ମାଣ ଦାୟିତ୍ବରେ ଥିବା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ଠିକ ଭାବରେ କାମ କରିବା ଓ ପାଣି ଯୋଗାଇ ଦେବା ପାଇଁ ନିର୍ଦ୍ଧେଶ ଦେଲେ । ଆଲୁବାଡି ଗ୍ରାମର ଗ୍ରାମବାସୀଙ୍କ ସହ ଜିଲ୍ଳାପାଳ ଆଲୋଚନା କରି ସେମାନଙ୍କୁ ଆମ୍ବ ଚାଷ ଓ କାଜୁ ଚାଷ କରିବା ପାଇଁ ରାଜି ହେବାରୁ ବିଡ଼ିଓ ରାମନାଗୁଡାଙ୍କୁ ଉଦ୍ୟାନ ବିଭାଗ ସହ ଯୋଗଯୋଗ କରି ଚାରା ଯୋଗାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହାପରେ ଜିଲ୍ଳାପାଳ କାନପୁଲଶୀ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ବିଭିନ୍ନ ଯୋଜନା ବିଷୟରେ ବିଶେଷ କରି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ଯୋଜନାରେ ମଜୁରୀ ଠିକ ଭାବରେ ପାଉଛନ୍ତି କି ନାହିଁ, ଚାଉଳ ଠିକରେ ପାଉଛନ୍ତି କି ନାହିଁ ସେ ସମ୍ବନ୍ଧରେ ପଚାରି ବୁଝିଥିଲେ । ସେହି ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ କେନାଲ କାମ ଓ ମଧ୍ୟମ ଜଳସେଚନ ବିଭାଗ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲିଦେଖିଥିଲେ । ଗ୍ରାମରେ ଚେକଡେମ ଉନ୍ନତି କରଣ ପାଇଁ ପଦ୍ଧକ୍ଷେପ ନେବା ନିମନ୍ତେ ବିଡ଼ିଓଙ୍କ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ ।

ନଳକୂପ ଗୁଡ଼ିକରେ ରିଚାର୍ଜ ପିଟି ନିର୍ମାଣ କରିବାପାଇଁ ବିଡ଼ିଓ ରାମନାଗୁଡାଙ୍କୁ ଜିଲ୍ଳାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମୋଟର ସାଇକେଲରେ ଦୁଇଜଣରୁ ଉର୍ଦ୍ଧ୍ବ ଵ୍ୟକ୍ତିଙ୍କୁ ଯାତ୍ରା କରିବାକୁ ମନା କରିଥିଲେ । ଜନସାଧାରଣଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷାକରିବା ଉପରେ ସଚେତନ କରିଥିଲେ । ରାମନଗୁଡ଼ା ବ୍ଲକ ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ବିଡ଼ିଓ ଶ୍ରୀ ବେଣୁଧର ଶବର, ପି.ଏ,ଜେ.ଇ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ । ଏହାପରେ ଗୁଣପୁର ଆଦର୍ଶ ବିଦ୍ୟାଳୟ ଠାରେ ଚାଲିଥିବା କଭିଡ କ୍ୟାୟାର ସେଣ୍ଟର ବୁଲି ଦେଖିଥିଲେ ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଡା. ବି.ସିଧେଶ୍ଵର ବଳିରାମ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।