Tuesday, March 19, 2024

Top 5 This Week

Related Posts

ଶ୍ରୀଜୀଉ ମାନଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୩୦/୦୬) : ଆଜି କାଳିଆ ସୁନାର ପବିତ୍ର ସୁନାବେଶ ବା ବଡ଼ତଢ଼ାଉ ବେଶ । ରଥ ଉପରେ ଆଜି ଶ୍ରୀଜୀଉ ମାନଙ୍କ ସୁବର୍ଣ୍ଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।

ରଥ ଉପରେ ଶ୍ରୀଜୀଉ ମାନଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ମାର୍କେଟ ଛକରୁ ଲାଗିଥିଲା ଭକ୍ତଙ୍କ ପ୍ରବଳ ଗହଳି। ମହାବାହୁଙ୍କ ଏହି ଦୁର୍ଲଭ ଏବଂ ଅନନ୍ୟ ବେଶ ଦେଖି ଭକ୍ତ ନିଜକୁ ଭାଗ୍ୟବାନ ମନେ କରିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ଓ ଟ୍ରାଫିକ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବାର ସୌଭାଗ୍ୟ ପାଇପାରିବେ । ତେବେ ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ । ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି ।

ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ଯ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେଇଥିଲେ। ସୁନା ବେଶରେ ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Popular Articles