ସାମାନ୍ୟ ବଚସା କୁ ନେଇ ନିର୍ମମ ହତ୍ୟା

0
83
ସାମାନ୍ୟ ବଚସା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୭/୦୬) : ସାମାନ୍ୟ ବଚସା କୁ ନେଇ ନିର୍ମମ ହତ୍ୟା । ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ । ଭାଇକୁ ହତ୍ୟା କଲାପରେ ହତ୍ୟାକାରୀ ସାନ ଭାଇ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହିତ ଥାନାରେ ଆତ୍ମ ସମର୍ପଣ କରିଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ଗାଁ’ରେ । ସୂଚନା ଅନୁସାରେ ଡ଼ିମିରିଗୁଡା ଗାଁ’ର ନରେନ୍ଦ୍ର ବିନ୍ଧାଣି ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣିଙ୍କ ମଧ୍ୟରେ ସୋମବାର ରାତିରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ପରିବାର ଲୋକ ଓ ସାହି ପଡିସା ଲୋକ ଏଥିରେ ହସ୍ତକ୍ଷେପ କରି ଗଣ୍ଡଗୋଳର ସମାଧାନ କରିଥିଲେ । ଏହାପରେ ନରେନ୍ଦ୍ର ବିନ୍ଧାଣି ଖାଇପିଇ ନିଜ ଘର ବାରଣ୍ଡାରେ ଶୋଇ ଥିବା ବେଳେ ତାଙ୍କର ସାନ ଭାଇ କର୍ଣ୍ଣ ବିନ୍ଧାଣି ଏକ ଧାରୁଆ ଟାଙ୍ଗିଆରେ ନରେନ୍ଦ୍ରକୁ ଅତି ନିର୍ମମ ଭାବରେ ହାଣି ପକେଇ ବା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ନରେନ୍ଦ୍ର ଚିତ୍କାର କରୁଥିବା ଦେଖି ନରେନ୍ଦ୍ରଙ୍କ ସ୍ତ୍ରୀ ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ ।

ସାହି ପଡିସା ଓ ପରିବାର ଲୋକ ଗୁରୁତର ଆହତ ଅବସ୍ଥାରେ ନରେନ୍ଦ୍ରଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମେଡିକାଲକୁ ଆଣିବା ବାଟରେ ହିଁ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ମଙ୍ଗଳବାର ସକାଳୁ ହତ୍ୟାକାରୀ ସାନଭାଇ କର୍ଣ୍ଣ ବିନ୍ଧାଣି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଥିବା ବେଳେ ଘଟଣାକୁ ନେଇ ମୃତ ନରେନ୍ଦ୍ର ବିନ୍ଧାଣିଙ୍କ ପୁଅ ତାଙ୍କ ବାପାଙ୍କୁ ତାଙ୍କ ଦଦା ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଅକ୍ଷୟଙ୍କ ଏତଲା ଆଧାରରେ ପୋଲିସ ହତ୍ୟାକାରୀ କର୍ଣ୍ଣକୁ ଥାନାରେ ଅଟକ ରଖିବା ସହ ମେଡିକାଲରେ ପଞ୍ଚିଚି ଶବ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହକ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର ଅସଲ କାରଣ ଜଣାପଡିନଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ତପନ କୁମାର ନାହକ ।