୫ ଦିନ ଯାଏଁ ଅସମ୍ଭାଳ ତାତି : ୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ

0
86
୫ ଦିନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୦/୦୫) : ୫ ଦିନ ଯାଏଁ ଲାଗି ରହିବ ଅସମ୍ଭାଳ ତାତି । ସାରା ରାଜ୍ୟକୁ କଲବଲ କରିବ ଅସହ୍ୟ ଗରମ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି ।

୫ ଦିନ ଯାଏଁ ଅସମ୍ଭାଳ ତାତି । ଫଳରେ ୧୦ ଜିଲ୍ଲାରେ ପିଟିବ ଝାଞ୍ଜି ପବନ । ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିରେ ତାତି ଛଟପଟ କରିବ । ଏସବୁ ଜିଲ୍ଲାର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । ଏହାକୁ ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) । ଦିନ ୧୧ଟା ରୁ ୩ଟା ଯାଏଁ ଘରୁ ବାହାରକୁ ଯାଉଥିବା ଲୋକେ ସତର୍କ ରୁହନ୍ତୁ ଓ ପ୍ରଚୁର ପାଣି ପିଅନ୍ତୁ । ଅସୁସ୍ଥ ବ୍ୟକ୍ତି, ଶିଶୁ ଓ ବରିଷ୍ଠ ନାଗରିକ ବାହାରକୁ ବାହାରନ୍ତୁ ନାହିଁ ବୋଲି ସତର୍କ କରାଯାଇଛି । ଗୁରୁବାର ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ଥିଲା । ନୂଆପଡ଼ା ୪୪, ସମ୍ବଲପୁର ଓ ଝାରସୁଗୁଡ଼ା ୪୩.୯, ହୀରାକୁଦ ୪୩.୮, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ଓ ରାଉରକେଲା ୪୩.୫, ସୁନ୍ଦରଗଡ଼ ୪୨.୧, ବୌଦ୍ଧ ୪୨, ଚାନ୍ଦବାଲି ୪୦.୪ ଓ ତାଳଚେରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।