“ଆଶା” ଏନ ଜି ଓ ନିର୍ଦ୍ଦେଶକଙ୍କୁ ହତ୍ୟା କଲେ ଆତତାୟୀ

0
372
ଆଶା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୪/୫) : ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଥମ ଥର ପାଇଁ ଶାନ୍ତ ଓ ଭାଇଚାରାର ଗୁଣୁପୁର ସହର ଆତତାୟୀ ଙ୍କ ଗୁଳି ଗର୍ଜନରେ ଥରି ଉଠିଛି । ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ “ଆଶା” ସ୍ଵେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ (୫୫) ବଂଶଧାରା ପୋଲ ଉପରେ ଶୋଚନୀୟ ମୃତ୍ୟୁ ଘଟିଛି ।WhatsApp Image 2023 05 14 at 10.21.26 1 "ଆଶା" ଏନ ଜି ଓ ନିର୍ଦ୍ଦେଶକଙ୍କୁ ହତ୍ୟା କଲେ ଆତତାୟୀ

ସୂଚନା ମୁତାବକ ପ୍ରତିଦିନ “ଆଶା” ଏନ ଜି ଓ ନିର୍ଦ୍ଦେଶକ ଗୌରୀ ମିଶ୍ର ନିଜ ବନ୍ଧୁଙ୍କ ସହ ବିକ୍ରମପୁର ଛକକୁ ବୁଲିବାକୁ ଯାଇ ରାତ୍ର ୯ ଟା ସମୟରେ ଘରକୁ ଫେରନ୍ତି । ଆଜିବି ବୁଲାବୁଲି ସାରି ରାତ୍ର ପ୍ରାୟ ୯.୩୦ ରେ ମୋଟରସାଇକେଲ ଯୋଗେ ଘରକୁ ଫେରିବା ସମୟରେ ବଂଶଧାରା ପୋଲ ଉପରେ ଆତତାୟୀଙ୍କ ଗୁଳିର ଶିକାର ହୋଇଥିଲେ । ଗୌରୀଙ୍କ ବନ୍ଧୁ ମାନେ ବାଇକରେ ଆଗକୁ ଚାଲିଯାଇଥିଲେ । ଏହି ସୁଯୋଗରେ ଦୁର୍ବୃତ୍ତ ମନେ ଗୌରୀଙ୍କୁ ଏକାକୀ ପାଇ ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ । ଫଳରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ବନ୍ଧୁମାନେ ପୋଲିସକୁ ଫୋନ କରିଥିଲେ । ଖବରପାଇ ଏସଡିପିଓ ବିକାଶ କୁମାର ଦେହୁରୀ ସମେତ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ମୃତ ଗୌରୀଙ୍କ ମୃତଦେହକୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି ।

ତେବେ ଏହି ଗୁଳିକାଣ୍ଡ କିଏ କରିଛି ଏବଂ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ତେବେ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ଦୁର୍ବଳ ଯୋଗୁଁ ଏଭଳି ଅଘଟଣ ଘଟିଥିବା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ପୋଲିସ କେବଳ ଯାନବାହନ ଓ ହେଲମେଟ ଯାଞ୍ଚରେ ବ୍ୟସ୍ତ ରହୁଥିବାରୁ ଏଭଳି ଅପରାଧିକ ଘଟଣା ସହରରେ ବୃଦ୍ଧି ପାଉଥିବା ସହରରେ ଚର୍ଚ୍ଚା ଜୋର ଧରିଛି ।