ଦୈବାସୁର ସମ୍ପଦ୍ ବିଭାଗ ଯୋଗଃ ଅନୁଷ୍ଠିତ

0
104
ଦୈବାସୁର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୯/୦୪) : ଦୈବାସୁର ସମ୍ପଦ୍ ବିଭାଗ ଯୋଗଃ ଅନୁଷ୍ଠିତ । ସାହିତ୍ୟିକ କବି ବନ୍ଧୁ ପରିବାରର, ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ଗୀତାମୃତ କାର୍ଯ୍ୟକ୍ରମ ହୋଇଯାଇଛି ।

ବାଲେଶ୍ୱର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ, ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ଶ୍ରୀମତୀ ରୀତା ଅପରାଜିତା ମହାନ୍ତିଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀମତୀ ସ୍ନେହ ମିଶ୍ର ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶ୍ରୀମତୀ ପ୍ରଣତି ମହାପାତ୍ର ଅତିଥି ପରିଚୟ, ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ୱାଗତ କରିଥିଲେ । ଷୋଡ଼ଶ ଅଧ୍ୟାୟ ଦୈବାସୁର-ସମ୍ପଦ୍- ବିଭାଗ ଯୋଗଃର ଆଠଟି ଶ୍ଲୋକ ଖୁବ ସୁନ୍ଦର ଭାବରେ ଆଲୋଚନା କରିଥିଲେ ବଲାଙ୍ଗୀର ଜିଲ୍ଲାର ପଣ୍ଡିତ ଶ୍ୟାମସୁନ୍ଦର ଦାଶ ମହୋଦୟ । ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଦାଶ ମହାଭାଗ ।

ବନଲକ୍ଷ୍ମୀ ମହାନ୍ତି, ଗୀତାଞ୍ଜଳି ପୃଷ୍ଟି, ପ୍ରିୟମ୍ବଦା ସାମଲ,ବିନୋଦିନୀ ଦାଶ ମହୋଦୟା ମାନେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିଲେ । ପଣ୍ଡିତ ଶ୍ୟାମସୁନ୍ଦର ଦାଶଙ୍କର ଆଲୋଚନା ଥିଲା ଏହିପରି-ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ବରମ୍ଅପରସ୍ପରସମ୍ଭୁତଂ କିମନ୍ୟତ୍କାମହୈତୁକମ୍ । । ଆସୁରୀ ଗୁଣ ସମ୍ପନ୍ନ ଯୁକ୍ତ ବ୍ୟକ୍ତି ଜଗତକୁ ଅସତ୍ୟ, ଧର୍ମରୂପକ ପ୍ରତିଷ୍ଠାହୀନ, ଈଶ୍ୱରହୀନ ବୋଲି ବିବେଚନା କରନ୍ତି । ସେମାନଙ୍କ ମତରେ ସ୍ତ୍ରୀ-ପୁରୁଷର ମୈଥୁନରୁ ଜଗତର ଉତ୍ପତ୍ତି ହୋଇଛି । କେବଳ କାମ ପ୍ରବୃତ୍ତିରୁ ଜଗତ, ଅନ୍ୟ କିଛି ନୁହେଁ । ସେହି ଅପବିତ୍ର କର୍ମା ଲୋକମାନେ ଦୁଷ୍କୃଣୀୟ କାମନାକୁ ଆଶ୍ରୟ କରି ଦମ୍ଭ, ଅଭିମାନ ଓ ଗର୍ବ ଯୁକ୍ତ ହୋଇ ମୋହରେ ମିଥ୍ୟା ସିଦ୍ଧାନ୍ତ ଅନୁସାରେ ଆଚରଣ ପ୍ରଦର୍ଶନ କରନ୍ତି । ମୁଁ ହିଁ ସବୁକିଛି ।

ମୁଁ ଶତୃମାନଙ୍କୁ ହତ କରିବି, ମୁଁ ଈଶ୍ୱର, ଭୋଗୀ, ସିଦ୍ଧ ଇତ୍ୟାଦି ଅଜ୍ଞାନର ବିମୋହିତ ହୋଇ, ନାନା ଚିନ୍ତାରେ ଭ୍ରାନ୍ତ ଚିତ୍ତହୋଇ, ମୋହ ଜାଲରେ ବାନ୍ଧି ହୋଇ, କାମ ଭୋଗରେ ଆସକ୍ତି ଥାଇ ନର୍କରେ ପତିତ ହୁଅନ୍ତି । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୫ ରୁ ଉର୍ଦ୍ଧ୍ୱ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ଵଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ । ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।