ମହିଳା ମାସ୍କ ତିଆରି କରି ପ୍ରଶାସନକୁ ଯୋଗାଇଲେ, ଲୋଇସିଂହା

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୨୭/୦୩): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଔଷଧ ନ ଥିବାରୁ ସଚେତନତା ହି ଏକମାତ୍ର ବିକଳ୍ପ । ଏଭଳି ସମୟରେ ସାମାଜିକ ଦୂରତା, ବାରମ୍ବାର ହାତକୁ ଧୋଇବା ତଥା ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି । ତେବେ ଏଭଳି ସଙ୍ଗୀନ ପରିସ୍ଥିତିରେ ବଜାରରେ ଆବଶ୍ୟକ ପରିମାଣର ମାସ୍କ ମିଳୁ ନାହିଁ ।

ଯାହା ବି ମିଳୁଛି ବେପାରୀ ମାନେ ଚଢା ଦରରେ ଖୋଲା ବଜାରରେ ବିକ୍ରି କରୁଛନ୍ତି । ଏଭଳି ସମୟରେ ଲୋଇସିଂହା ବ୍ଲକ ଅଧିନ କୁଶମେଲ ସ୍ଥିତ ମା ଶକ୍ତିରୂପା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟ ମାନେ ମାସ୍କ ତିଆରି କରି ରିହାତି ଦରରେ ପ୍ରଶାସନକୁ ମାସ୍କ ଯୋଗାଉ ଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଉପଯୁକ୍ତ ମାସ୍କ ତିଆରି ଡିଜାଇନ ଆଣି ହଜାର ହଜାର ମାସ୍କ ତିଆରି କରି ଏକ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।

ଗତ ୧୮ ତାରିଖରୁ ଏହି ମହିଳା ମାନେ ମାସ୍କ ତିଆରି କରିବା ଆରମ୍ଭ କରିଥିବା ବେଳେ ଆଜି ସୁଦ୍ଧା ଅଢେଇ ହଜାର ରୁ ଅଧିକ ମାସ୍କ ତିଆରି କରି ସାରିଥିବା ଜଣାଯାଇଛି । ସ୍ଥାନୀୟ ସିଡିପିଓ ପ୍ରଜ୍ଞାରାଣୀ ବାରିକ, ମିଶନ ଶକ୍ତି ବିପିସି ସ୍ଵର୍ଣପ୍ରଭା ନାଗଙ୍କ ସୁପରାମର୍ଶ କ୍ରମେ ଏହି ମହିଳା ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରିବା ପାଇଁ ପ୍ରେରଣା ପାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ଏହି ମାସ୍କ ରିହାତି ଦରରେ ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମହିଳାମାନଙ୍କ ଏତାଦୃଶ କାର୍ଯ୍ୟ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Comments are closed.