ଆର୍ଥ ଆୱାର : ପୃଥିବୀ ପାଇଁ ଘଣ୍ଟାଟିଏ, ରାତି ୮.୩୦ରୁ ୯.୩୦ ଯାଏଁ ଲାଇଟ୍ ଫ୍ୟାନ୍‌ ସ୍ୱିଚ୍ ବନ୍ଦ

0
169
ଆର୍ଥ ଆୱାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୩) : ପୃଥିବୀ ପାଇଁ ଘଣ୍ଟାଟିଏ । ଆଜି ୧ ଘଣ୍ଟା ପାଇଁ ବନ୍ଦ ରହିବ ଲାଇଟ୍ । ଆର୍ଥ ଆୱାର ରେ ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସମସ୍ତ ଲାଇଟ୍ ବନ୍ଦ ରଖିବା ଲାଗି ଆହ୍ୱାନ ଦିଆଯାଇଛି ।

ପୃଥିବୀର ସୁରକ୍ଷା ଲାଗି ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ୍ କରିଥାନ୍ତି । ପୃଥିବୀର ସୁରକ୍ଷା ଲାଗି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ପାଣିପାଗ ପରିବର୍ତ୍ତନର ସମାଧାନ ଲକ୍ଷ୍ୟରେ ଆର୍ଥ ଆୱାର ପାଳନ କରାଯାଇଥାଏ । ଆର୍ଥ ଆୱାର ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଏହି ଆର୍ଥ ଆୱାରକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ବିଶ୍ୱର ୮୮ଟି ରାଷ୍ଟ୍ରର ୪୦୦୦ମହାନଗରୀରେ ପ୍ରତି ବର୍ଷ ଆର୍ଥ ଆୱାର ପାଳନ କରାଯାଉଛି ଓ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ରଖିବା ପାଇଁ କୋଟିକୋଟି ଜନତା ପ୍ରତିବର୍ଷ ଅନ୍ତତଃ ଘଣ୍ଟାକ ପାଇଁ ସବୁ ବୈଦ୍ୟୁତିକ ଯନ୍ତ୍ରାଦି ବ୍ୟବହାରକୁ ବନ୍ଦ ରଖୁଛନ୍ତି । ଭାରତ ୨୦୦୯ରେ ଏହି ଅଭିଯାନରେ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍‍ ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ହୋଇପାରିଥିଲା ।