ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୦୩) : ୧୯୫୯ ମସିହାରେ ପ୍ରତିଷ୍ଠିତ ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ, ଆଜି ଯାଏଁ ଡାକ୍ତର ଅଭାବ ସମସ୍ୟା ରହିଆସିଛି ।
ବହୁବାର ଗୁଣପୁର ଜନସାଧାରଣ ଆନ୍ଦୋଳନ, ଦାବୀ, ଚକାବନ୍ଦ୍, ଅନଶନ ଧର୍ମଘଟ ପରେ ଶେଷରେ ୨୦୦୨ ମସିହାରେ ,”ଉପଖଣ୍ଡ ଡ଼ାକ୍ତରଖାନାରେ” ପରିଣତ ହେଲା ଏଇ ଗୁଣପୁର ଡାକ୍ତରଖାନା । କାୟା ସିନା ବଦଳିଲା କିନ୍ତୁ ଅଦ୍ୟାବଧି ଡାକ୍ତର ସମସ୍ୟାର ସମାଧାନ ହୋଇ ପାରିନାହିଁ । ଆନ୍ଦୋଳନ କଲେ ମିଳେ ପ୍ରତିଶୃତି ଆଉ ପ୍ରତିଶୃତି । ବର୍ତ୍ତମାନ ଗୁଣପୁର ଉପଖଣ୍ଡ ବିକାଶ ପରିଷଦର ସଦସ୍ୟ ଗୁଣପୁର ଜନସାଧାରଣଙ୍କ ସହ ମିଳିତ ଭାବେ ଡାକ୍ତରଖାନା ରେ ଡାକ୍ତର ନିଯୁକ୍ତି, ରକ୍ତ ଭଣ୍ଡାର ଏବଂ ହସ୍ପିଟାଲ୍ ର ଆନୁସାଙ୍ଗିକ ବ୍ୟବସ୍ଥାର ଉନ୍ନତି କରଣ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଏକ ବିଶାଳ ରେଲିରେ ବାହାରି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟ ଯେ, ସରକାରୀ ନିୟମ ଅନୁସାରେ ଉପଖଣ୍ଡ ଡ଼ାକ୍ତରଖାନାରେ ୧୯ ଜଣ ଡାକ୍ତର ପରିବର୍ତ୍ତେ ଗୁଣପୁର ଡାକ୍ତରଖାନାରେ ଅଛନ୍ତି ମାତ୍ର ୩ ଜଣ ସ୍ଥାୟୀ ଓ ୨ ଜଣ ଅସ୍ଥାୟୀ ଡାକ୍ତର । ଗୁଣପୁର ଉପଖଣ୍ଡ ସହ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରର କେତେକ ଅଞ୍ଚଳ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଡ଼ାକ୍ତର ମରୁଡି କାଳ ସାଜିଛି । ସାମାନ୍ୟ ରୋଗ ପାଇଁ ରୋଗୀଙ୍କୁ ବ୍ରହ୍ମପୁର, ଭୂବନେଶ୍ଵର କିମ୍ବା ବିଶାଖାପାଟଣାକୁ ରେଫର କରିଦିଆଯାଉଛି ।
ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଗୁଣପୁରଉପଖଣ୍ଡ ବିକାଶ ପରିଷଦର ଆବାହକ ସତ୍ୟ ସୁନ୍ଦର କର , ବରିଷ୍ଠ ଆଇନଜୀବି ଉମା ପଟ୍ଟନାୟକ , ୱ।ଇ ଗଣପତି , ପୈର ଉପାଧ୍ୟକ୍ଷ ଶିଵ ପ୍ରସାଦ ଗୈ।ଡ ପ୍ରମୁଖ ଏକ ବିଶାଳ ପଦଯାତ୍ରାରେ ଵାହାରି ମାନ୍ୟବର ମୁଖ୍ୟମନ୍ତ୍ରୀ , ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ , ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯଦି ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନ କରନ୍ତି, ତେବେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ।