ଆଉଟସୋର୍ସିଂ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
138
ଆଉଟସୋର୍ସିଂ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୩) : ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।WhatsApp Image 2023 03 15 at 19.31.21 1 ଆଉଟସୋର୍ସିଂ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲା ସଂଘର ସମ୍ପାଦକ ନରହରୀ ମହାପାତ୍ରାଙ୍କ ନେତୃତ୍ବରେ କର୍ମଚାରୀମାନେ ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ଆଗରେ ଏକତ୍ରୀତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କର୍ମଚାରୀ ମାନଙ୍କୁ ନିୟମିତ ଭାବେ ମାସିକ ଦରମା ପ୍ରଦାନ କରିବା , ଆଉଟସୋର୍ସିଂ କର୍ମଚାରୀ ଭାବେ ପୂର୍ବରୁ କାର୍ଯ୍ୟରତ ବା ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ପୂରଣ ପାଇଁ ନିବେଦନ କରିଛନ୍ତି । ଆଉଟସୋର୍ସିଂ କର୍ମଚାରୀ ମାନେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ମାର୍ଫତରେ ରାଜ୍ୟ ସରକାରଙ୍କୁ ଅନେକବାର ଦାବି ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏପରିକି କର୍ମଚାରୀମାନେ ନିଜ କାର୍ଯ୍ୟ ନିୟମିତ ଭାବେ କରିବା ସହିତ ବିନା ଛୁଟିରେ କାର୍ଯ୍ୟ କରି ଆସୁଛନ୍ତି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଂଜଳି ଦେଇ ସରକାରୀ କାର୍ଯ୍ୟକୁ ନିଷ୍ଠାର ସହିତ କରି ଆସୁଛନ୍ତି ।

ତେବେ କର୍ମଚାରୀଙ୍କ ଛୋଟ ଛୋଟ ଦାବି ପ୍ରତି ବି ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଜଣେ ଜଣେ ଆଉଟସୋର୍ସିଂ କର୍ମଚାରୀ ଦୀର୍ଘ ଗୋଟିଏ ଦଶନ୍ଧିରୁ ଅଧିକ ହେବ ଜିଲ୍ଲାରେ କାର୍ଯ୍ୟ କରି ଆସୁଛନ୍ତି । କର୍ମଚାରୀମାନେ କାର୍ଯ୍ୟ କରୁଥିବା ନିଜ ବିଭାଗ ମାର୍ଫତରେ ବି ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଜିଲ୍ଲା ପ୍ରଶାସନ, ନିଯୁକ୍ତି ଦାତା ଅବା ରାଜ୍ୟ ସରକାର ଏହି କର୍ମଚାରୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ଦାବି ଆପତ୍ତି ପରେ ବି ରାଜ୍ୟ ସରକାର ଧ୍ୟାନ ଦେଉ ନ ଥିବାରୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା ସଂଘ ନିଷ୍ପତ୍ତି ନେଇ ଆଜି ପୁଣି ଜିଲ୍ଲା ପ୍ରଶାସନ ଆଗରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।