ସମାଜ ଗଠନ ରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

0
211
ସମାଜ ଗଠନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୯/୩) : ମହିଳାମାନେ ପୁରୁଷ ମାନଙ୍କ ଠାରୁ କେଉଁ ଗୁଣରେ କମ ନୁହନ୍ତି । ଏକ ଦୃଢ ଓ ଶସକ୍ତ ସମାଜ ଗଠନ ରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ନାରୀ ସର୍ବଂସହା, ସର୍ବଗୁଣବିଦିତା । ସମାଜ କୁ ଠିକ ଦିଗରେ ପରିଚାଳିତ ହେବାକୁ ସେ ମାର୍ଗ ଦେଖାଇଥାଏ । ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଗତ ୬/୦୩/୨୩ରିଖରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ଏହା କହିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ପ୍ରଦୀପ ପ୍ରଜ୍ଵଳନ କରି ସମାରୋହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିବା ଅବସରରେ କହିଥିଲେ ଯେ ଆଜିର ଦିନଟି ସମଗ୍ର ନାରୀ ସମାଜ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ସମଗ୍ର ବିଶ୍ୱରେ ମହିଳାମାନେ ଏକତ୍ରିତ ହୋଇ ନିଜ ନିଜ ର ଅଧିକାରକୁ ସାବ୍ୟସ୍ତ କରୁଛନ୍ତି । ନାରୀ ଆଜି ପୁରୁଷ ର ସମକକ୍ଷ । ନାରୀର ଭୂମିକାକୁ ସମଗ୍ର ବିଶ୍ଵ ସ୍ଵୀକାର କରିବା ସହ ମହିଳା ଶକ୍ତି କୁ ସମ୍ମାନ କରି ସମଗ୍ର ବିଶ୍ୱ ଆଜି ମହିଳା ଦିବସ ପାଳନ କରୁଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସମାଜ ଉପରେ ବୋଝ ନୁହନ୍ତି ବରଂ ଏକ ଦୃଢ, ମୂଲ୍ୟବୋଧ ଓ ଶସକ୍ତ ସମାଜ ଗଠନ ରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ କୁ ନୀରବରେ ସହ୍ୟ ନ କରି ତାର ପ୍ରତିବାଦ କରିବାକୁ ଉପସ୍ଥିତ ମହିଳା ମାନଙ୍କୁ ଉପଦେଶ ଦେଇଥିଲେ ଓ ଏ ସମ୍ପର୍କରେ ଆଇନ ରେ ଥିବା ବ୍ୟବସ୍ଥା ଗୁଡିକ ଉପରେ ଆଲୋକପାତ କରିଥିଲେ । ସ୍ଥାନୀୟ ଓକିଲ ତଥା ରାୟଗଡା ମୁନିସିପାଲିଟିର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ମହିଳାମାନେ ନିଜ ଅଧିକାର ନିଜେ ସାବ୍ୟସ୍ତ କରିବାପାଇଁ ମହିଳାମାନେ ସଂଘବଦ୍ଧ ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଆହ୍ଵାନ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରିନ୍ସିପ୍ଯାଲ ଶ୍ରୀମତୀ ଭି॰ ରତ୍ନଶ୍ରୀ, ଡ॰ ମମତା ଚୌଧୁରୀ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମଞ୍ଜୁଶ୍ରୀ ମୁଖାର୍ଜୀ ଙ୍କ ସମେତ ସମସ୍ତ ସି॰ଡି॰ପି॰ଓ, ଅଙ୍ଗନୱାଡି କର୍ମୀ, ଅନ୍ୟୁନ ଦୁଇଶହ ମହିଳା, କିଶୋରୀ ବାଳିକା, ୱାନ ସ୍ଟପ ସେଣ୍ଟର ର କର୍ମକର୍ତା ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ଭାଗନେଇଥିଲେ । ଏହି ଅବସରରେ ବାଲ୍ୟ ବିବାହ ରୋକିବା ଓ କିଶୋରୀ ଶଶକ୍ତି କାରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ଶ୍ରେଷ୍ଠ ବାଲ୍ୟ ବିବାହ ନିଷେଧାକାରୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଶ୍ରେଷ୍ଠ ସାକ୍ଷୀ ସହେଲି ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା। ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବା ସହ ସୁରକ୍ଷାଧିକାରୀ ଶ୍ରୀମତୀ କାମାକ୍ଷୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।