ଏସସିବି ରେ ନେଫରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ କିଡନୀ ଦିବସ ପାଳନ

0
93
ଏସସିବି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୯/୦୩) : ଆଜି ବିଶ୍ୱ କିଡନୀ ଦିବସ । ୨୦୦୬ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି । କଟକ ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ।

ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧକ୍ଷ ଡାକ୍ତର ପ୍ରସନ୍ନଜିତ ମହାନ୍ତି, ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ନେଫରୋଲୋଜି ବିଭାଗୀୟ ଡାକ୍ତର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଏସସିବିର ସମସ୍ତ ବିଦ୍ୟାର୍ଥୀ କର୍ମଚାରୀ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ସଚେତନ କରାଇଥିଲେ । ଆଜି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି ।

ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇଛି । ତେବେ କଟକ ଏସସିବି ମେଡିକାଲରେ ଏହି ରୋଗର ସଫଳ ମୁକାବିଲା କରାଯାଉଛି । ଚିକିତ୍ସା ସେବା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ଏହି ରୋଗ ମଧୁମେହ ଉଚ୍ଚ ରକ୍ତ ଚାପ ରୋଗୀଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଅନିୟମିତ ଖାଦ୍ୟ ଗ୍ରହଣ, ପେନ କିଲର ସେବନ, କମ ପାଣି ପିଇବା ଫଳରେ ମଧ୍ୟ ଏହି ରୋଗ ହୋଇଥାଏ ।

ବ୍ୟାପକ ସଚେତନତା ହିଁ ରୋଗକୁ ରୋକିବାର ମୂଳ ଉପାୟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଆଜିର ପରିବର୍ତ୍ତିତ ପରିସ୍ଥିତି ତଥା ଜରୁରୀ କାଳୀନ ପରିସ୍ଥିତିରେ କିପରି କିଡନୀ ରୋଗୀ ନିଜକୁ ସୁରକ୍ଷିତ ଓ ସୁସ୍ଥ ରଖିପାରିବେ ସେନେଇ ଚଳିତ ବର୍ଷ ବାର୍ତ୍ତା ପ୍ରଦାନ କରାଯାଇଛି । ଆଜିର ଦିନରେ ଅଧିକରୁ ଅଧିକ ସଂଖ୍ୟାରେ ଆକସ୍ମିକ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି କିଡନୀ ଦାନ କରନ୍ତୁ ବୋଲି ଡାକ୍ତର ଅପିଲ କରିଛନ୍ତି ।