ଉଦ୍ୟୋଗୀ ସପ୍ତାହ ପାଳିତ ଏବଂ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

0
114
ଉଦ୍ୟୋଗୀ ସପ୍ତାହ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୩) : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୁଲ୍ୟରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ ହୋଇଯାଇଛି । 

ସ୍ଥାନୀୟ ରୋୟାଲ ପଡିଆ ରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଶିଳ୍ପଗୁରୁ ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ଅଧିକାରୀ ଡଃ ଅନନ୍ତ ପ୍ରସାଦ ପଣ୍ଡା ଯୋଗ ଦେଇ ଉଦ୍ୟୋଗୀ ସପ୍ତାହ ୨୦୨୩ ପାଳନ ର ଆବଶ୍ୟକତା ଏବଂ ଯୁବା ବର୍ଗ ଙ୍କ ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଜିଲ୍ଲାରେ ଥିବା ସମସ୍ତ ଶିଳ୍ପସଂସ୍ଥା ମାନଙ୍କୁ ସମୁଚିତ ସହାୟତା ଯୋଗାଇ ଦେବା ସହିତ କିଭଳି ଭାବରେ ବିଭିନ୍ନ କ୍ଷେତ୍ରରେ ନୂତନ ଶିଳ୍ପ ଉଦ୍ୟୋଗୀ ଆଗକୁ ଆସିବେ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଅସଂଗଠିତ କ୍ଷେତ୍ରରେ ଥିବା ଉଦ୍ୟୋଗୀ ତଥା ବ୍ୟବସାୟୀ ମାନଙ୍କ ଉପରେ ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲା ଶିଳ୍ପକେନ୍ଦ୍ର ସୁବର୍ଣ୍ଣପୁର ର ସାଧାରଣ ପରିଚାଳକ ବଳଭଦ୍ର ନାୟକ ସ୍ଵାଗତ ସମ୍ଭାଷଣ ଦେବା ସହିତ ଉଦ୍ୟୋଗ ସପ୍ତାହ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ । ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ରାଜ୍ୟରେ ଏବେ ୫ ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଏହି ଉଦ୍ୟୋଗୀ ସପ୍ତାହ ପାଳନ କରାଯାଉଛି । ଏହା ସହିତ ଏଠାରେ ରୋୟାଲ ପଡିଆରେ ଏକ ଶିଳ୍ପ ପ୍ରଦର୍ଶନୀ ର ମଧ୍ୟ ଆୟୋଜନ କରାଯାଇଛି । ଏଥିରେ ୪୫ ଟି ଷ୍ଟଲ ରେ ଜିଲ୍ଲା ର ବିଭିନ୍ନ ଉଦ୍ୟୋଗୀ / ସ୍ଵଂୟ ସହାୟକ ଗୋଷ୍ଠୀ ଭାଗ ନେଇ ତାଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ଏବଂ ପ୍ରଚାର ପ୍ରସାର କରୁଛନ୍ତି । ଉକ୍ତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଦିବସରେ ଉଦ୍ୟୋଗୀ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯିବା ସହ ତାର ବଜାରୀ କରଣ ଓ ବ୍ୟାଙ୍କ ରୁ ବିନା ହଇରାଣ ରେ କିଭଳି ଆର୍ଥିକ ସହଯୋଗ ପାଇବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ।

ଛାତ୍ର ଛାତ୍ରୀ ମାନଙ୍କୁ କେବଳ ଚାକିରି ପ୍ରତି ଧ୍ୟାନ ନଦେଇ କିଭଳି ଉଦ୍ୟୋଗ ପ୍ରତି ଆକର୍ଷିତ ହେବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଆସନ୍ତା ୭ ତାରିଖରେ ମେଳାରେ ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯିବ । ଏହି ପ୍ରଦର୍ଶନୀ ତଥା କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ଯୁବା ବର୍ଗ ଉଦ୍ୟୋଗ ପ୍ରତି ଆକୃଷ୍ଟ ହେବେ । ଏହାଦ୍ୱାରା ସେମାନଙ୍କ ଆର୍ଥିକ ମାନଦଣ୍ଡ ଦୃଢହେବା ସହିତ ଜିଲ୍ଲା ର ଦାଦନ ସମସ୍ୟା ର ମଧ୍ୟ ସମାଧାନ ହୋଇପାରିବ ।

ଏହି କାର୍ଯ୍ୟକ୍ରମ କୁ ହସ୍ତ ଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମିଶ୍ର ସଂଯୋଜନା କରିଥିଲେ ଏବଂ ଶେଷରେ ଜିଲ୍ଲା ମତ୍ସ୍ୟବିକାଶ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର କର୍ମକର୍ତ୍ତା, ଶିଳ୍ପ ବିକାଶ ଅଧିକାରୀ ଅଭିଜିତ ତ୍ରିପାଠୀ, ଦେବାଶିଷ ପଣ୍ଡା, ଶୁଭମ୍ ସାହୁ, ଶିଳ୍ପ କେନ୍ଦ୍ର ର ସୁରେଶ ସାହୁ, ଜଗନ୍ନାଥ ଧରୁଆ, ସୁଶୀଲ ବାରିକ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ଉଦ୍ୟୋଗ ପ୍ରେମୀ ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ସଭାରେ ଯୋଗ ଦେଇଥିଲେ ।