ଗୁଣପୁରକୁ ଜିଲ୍ଲା ମାନ୍ୟତା ଦାବିରେ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର

0
210
ଗୁଣପୁରକୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୦୩) : ଗୁଣପୁରକୁ ଜିଲ୍ଲା ମାନ୍ୟତା ଦାବିରେ ପୁଣି ରାଜରାସ୍ତାରେ ଜନସାଧାରଣ । ଦୀର୍ଘ ୩୦ ବର୍ଷର ଦାବି, ଗୁଣପୁରକୁ ରାଜ୍ୟର ୩୧ ତମ ଜିଲ୍ଲା ଭାବରେ ମାନ୍ୟତା ।

୧୯୯୩ ମସିହାରେ ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୩ଟି ଜିଲ୍ଲାକୁ ସମ୍ପ୍ରସାରିତ କରି ୩୦ଟି ଜିଲ୍ଲା ଘୋଷଣା କରିଥିଲେ । ସେହି ସମୟରେ ଗୁଣପୁରକୁ ଜିଲ୍ଲା ଦାବି କରି ମାସାଧିକ କାଳ ରିଲେ, ଅନସନରେ ବସିଥିଲେ ଗୁଣପୁରବାସି । ଦୀର୍ଘ ଦିନ ଧରି ଅନସନ ପରେ ଶେଷରେ ବିଜୁ ବାବୁ ଆଶ୍ଵାସନା ଦେଇଥିଲେ କି, ଯଦି ରାଜ୍ୟରେ ନୂତନ ଜିଲ୍ଲା ଗଠନ ହୁଏ ତେବେ ରାଜ୍ୟର ୩୧ ତମ ଜିଲ୍ଲା ହେବ ଗୁଣପୁର । କିନ୍ତୁ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିଶୃତି ଆଜି ଯାଏଁ ପୂରଣ ହୋଇନାହିଁ । କିଛିଦିନ ତଳେ ବିଧାନସଭାରେ ପ୍ରମିଳା ମଲ୍ଲିକ ରାଜ୍ୟରେ ଆଉ କେତୋଟି ଜିଲ୍ଲାହେବା ନେଇ ସୂଚନା ଦେବା ଓ ସାନି ନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ଆଶ୍ଵାସନା, ସ୍ୱର୍ଗତ ବିଜୁବାବୁଙ୍କ ଗୁଣପୁର କୁ ୩୧ ତମ ଜିଲ୍ଲା କରିବାର ପ୍ରତିଶୃତି ଉପରେ ଅଙ୍କୁଶ ଲଗାଇଛି ।

ବର୍ତ୍ତମାନ ବିଜୁବାବୁ ପ୍ରତିଶୃତି ଦେବା ଦୀର୍ଘ ୩୦ ଵର୍ଷ ପରେ ପୁଣି ଗୁଣପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜୋର ଧରିଛି । ଆଜି ଏକ ବିଶାଳ ରେଲିରେ ଗୁଣପୁର ଉପଖଣ୍ଡର ବିଭିନ୍ନ ମହଲରୁ ନେତା, ଆଇନଜୀବୀ , ସାମ୍ବାଦିକ, ଦୋକାନୀ, ବିଭିନ୍ନ ସଙ୍ଗଠନ ଓ ଜନସାଧାରଣ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୁରୁଣା ବସଷ୍ଟାଣ୍ଡ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ରେଲିର ଶୁଭାରମ୍ଭ କରି, ନୂତନ ବସଷ୍ଟାଣ୍ଡ ରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ରରେ ଗୁଣପୁରକୁ ଜିଲ୍ଲା ମାନ୍ୟତା ସହ, ପଦ୍ମପୁର ଓ ମୁନିଗୁଡାକୁ ଏନ୍ ଏ ସି ମାନ୍ୟତା ଓ ବିଷମ କଟକ କୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ରହିଛି । ୩୪୭୯ ବର୍ଗ କିଲୋମିଟର ପରିମିତ ଗୁଣପୁର ଅଞ୍ଚଳ ଜିଲ୍ଲା ହେବାର ସବୁ ଭିତ୍ତିଭୂମି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି । ଶେଷରେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କ ପ୍ରତିଶୃତି କଣ ପ୍ରତିଶୃତି ହୋଇ ରହିଯିବ ?? ନା ବାପାଙ୍କ ପ୍ରତିଶୃତି ଗୁଣପୁର କୁ ୩୧ ତମ ଜିଲ୍ଲା ମାନ୍ୟତା ତାଙ୍କ ଦାୟଦ ନବୀନ ବାବୁ ପୂରଣ କରିବେ ଦେଖିବାକୁ ବାକି ରହିଲା ।