ବେଆଇନ୍ ଗୋରୁଚାଲାଣ, ଟ୍ରକ ଜବତ, ୨୮ ମୃତ, ୬ ଜୀବନ୍ତ ଗୋରୁ ଉଦ୍ଧାର

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ(୧୮/୦୨): କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଡଂଗରୀ ଗ୍ରାମ ନିକଟରେ ଜାତୀୟ ରାଜପଥ ନଂ ୬୩ ଉପରେ ଏକ ୧୦ ଚକିଆ ଟ୍ରକ ୩/୪ ଦିନ ଧରି ପଡି ରହିବା ପରେ ସେଥିରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ କିଛି ବ୍ୟକ୍ତି କୋଟପାଡ଼ ଥାନାରେ ଜଣାଇଥିଲେ। କୋଟପାଡ଼ ପୁଲିସ ଗତ ଶନିବାର ୨୮ଟି ମୃତ ଗୋରୁଙ୍କ ସହ ୬ଟି ଜୀବନ୍ତ ଗୋରୁ ଉଦ୍ଧାର କରି ସ୍ଥାନୀୟ ଡଙ୍ଗରୀ ଅଞ୍ଚଳର କିଛି ଲୋକଙ୍କୁ ପ୍ରଦାନ କରିଥିଲେ ।

କୋଟପାଡ଼ରେ ସି. ସି. ଟି. ଭି. କ୍ୟାମେରା ଲଗାଯିବା ସତ୍ତ୍ୱେ ଏଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଥିବାରୁ କୋଟପାଡ଼ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଅବଶ୍ୟ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ପୁଲିସ ନିଜ ତରଫରୁ ବି ମାମଲା ପଞ୍ଜୀକରଣ କରିନାହିଁ । ଗାଡିରେ ନମ୍ବର ପ୍ଲେଟ ନ ଥିବାରୁ ତଥା ଈଞ୍ଜିନ୍ ଓ ଚେସିସ୍ ନମ୍ବର ମଧ୍ୟ ଲିଭାଇ ଦିଆ ଯାଇଥିବା କାରଣରୁ ଗାଡି ମାଲିକଙ୍କ ନାମ ଜାଣିବା ସମ୍ଭବ ନୁହେଁ । ତେଣୁ ମାମଲା ପଞ୍ଜୀକରଣ କରାଯାଇ ନ ଥିବା ବିଷୟ କୋଟପାଡ଼ ଥାନା ଅଧିକାରୀ ଆମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ଛତିଶଗଡ଼ ସୀମାନ୍ତବର୍ତ୍ତୀ ଚାନ୍ଦିଲି ଫାଣ୍ଡି ମଧ୍ୟ ଜାତୀୟ ରାଜପଥ କଡରେ ଅଛି । ପୁଲିସ ବାବୁମାନେ ପ୍ରତିଦିନ କୋଟପାଡ଼ ଯିବା ଆସିବା କରୁଛନ୍ତି । କିନ୍ତୁ ତାଙ୍କ ଦୃଷ୍ଟି ଆଢୁଆଳରେ ନମ୍ବର ବିହୀନ ଗୋରୁ ବୋଝେଇ ଟ୍ରକ୍ ୪ ଦିନ ଧରି ଅଟକି ରହିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି । ମାମଲା ପଞ୍ଜିକୃତ ହୋଇ ନ ଥିବାରୁ ମୃତ ଗୋରୁଙ୍କ ପୋଷ୍ଟ ମର୍ଟମ ହୋଇପାରି ନାହିଁ । ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଗାଡିଟିର ଯାନ୍ତ୍ରିକ ତୃଟି ଯୋଗୁଁ ଏହି ଘଟଣା ଲୋକଲୋଚନକୁ ଆସିଥିଲା ବେଳେ ଏଭଳି ବେଆଇନ୍ ଗୋରୁ ବୋଝେଇ ଟ୍ରକ୍ ପ୍ରତିଦିନ ପୁଲିସ ଆଖିରେ ଧୂଳି ଦେଇ ଛତିଶଗଡ଼ ଯାଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବେଆଇନ୍ ଗୋରୁ ଚାଲାଣ ଭପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ଜୋର ଧରିଛି ।

Comments are closed.