ବାଲେଶ୍ବର ପଟେଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ

ରିପୋର୍ଟ: ନିରୋଜ କୁମାର ପାଣି //
ପାଇକମାଲ (୧୭/୦୨): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ସୂର୍ଯ୍ଯମଣି ପୁର ଗ୍ରାମର ୩୬ ବର୍ଷ ବୟସ୍କ ବାଲେଶ୍ବର ପଟେଲଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବାର ଅଭିଯୋଗ ତାଙ୍କ ବିଧବା ସ୍ତ୍ରୀ ସମେତ ପରିବାରର ଲୋକେ ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଗୁହାରି କରିଛନ୍ତି ।

ଅନୁସନ୍ଧାନରୁ ଜଣାଯାଇଛି ଯେ ଗତ ଜାନୁଆରୀ ୨୫ ତାରିଖ ସନ୍ଧ୍ୟାରେ ଘରୁ ମୋଟର ସାଇକେଲ ଧରି ବାଲେଶ୍ବର ପଟେଲ ବାହାରକୁ ଯାଇଥିଲେ । ସେ ଦିନ ରାତ୍ରି ୮ଟାରେ ପରିବାର ଲୋକଙ୍କ ସହ ସେ ମୋବାଇଲରେ କଥା ହୋଇ ଘରକୁ ଫେରୁଛି ବୋଲି କହିଥିଲେ । ୫ ଦିନ ପର୍ଯ୍ୟନ୍ତ ସେ ଘରକୁ ଆସି ନ ଥିଲେ । ସେ ଜଣେ ଡ୍ରାଇଭର ହୋଇଥିବାରୁ ଗାଡି ଚଳାଇ କୁଆଡେ ବାହାରକୁ ଯାଇଥିବା ଘରର ଲୋକେ ଭାବିଥିଲେ । ଆଗରୁ ମଧ୍ଯ ଅନେକ ଥର ଗାଡି ଚଳାଇବା ପାଇଁ ବାହାରକୁ ଯାଇ ୬ ଦିନ ୭ ଦିନ ଘରକୁ ଆସୁ ନ ଥିଲେ । ଘର ଲୋକେ ମୋବାଇଲରେ ଯୋଗାଯୋଗ କରୁଥିଲେ ମଧ୍ଯ କୌଣସି ଉତ୍ତର ମିଳୁ ନ ଥିଲା । ହଠାତ୍ ଗତ ଜାନୁଆରୀ ୩୦ତାରିଖ ଦିନ ଭୈଇଁଷାଦର୍ହା ଗ୍ରାମ ଧନେଶ୍ଵର ଛତରଙ୍କ ପରିତକ୍ତ କୂଅରୁ ଶବକୁ ଉଦ୍ଧାର କରାଯାଇଥିଲା । ଏହି କୂଅ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ବେଆଇନ କୁଚିଆ ମଦ ଭାଟି ଚାଲିଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ବେଆଇନ କୁଚିଆ ମଦଭାଟି ଭିତରେ ଯୋଜନା ବଦ୍ଧ ଭାବେ ତାଙ୍କ ପୁଅକୁ ହତ୍ଯା କରାଯାଇ ଶବକୁ ସେହି କୁଅରେ ଫୋପାଡି ଦିଆଯାଇଥିଲା । ଏହି ହତ୍ୟାକାଣ୍ଡ ପଛରେ ଉକ୍ତ ଭାଟିର ମାଲିକ ମୁନ୍ନା ଡନସନାଙ୍କୁ ଓ କୁଅର ମାଲିକ ଧନେଶ୍ଵର ଛତର ସଂପୃକ୍ତ ଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଅର ହତ୍ଯାକାରୀ ମାନଙ୍କୁ ଧରିବା ସହପରିବାରକୁ ନ୍ଯାୟ ଦେବା ପାଇଁ ପରିବାର ଲୋକେ ଓଡିଶାର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଗୃହ ବିଭାଗ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଲିଖିତ ଜଣାଇଛନ୍ତି । ଏହା ଏକ ସୁଚିନ୍ତିତ ହତ୍ଯା କାଣ୍ଡ ବୋଲି ଆଖପାଖ ଗାଁରେ ଜୋରରେ ଚର୍ଚ୍ଚା ଚାଲିଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବାଲେଶ୍ବରର ପରିବାର ଘରକୁ ଯାଇ ସାନ୍ତ୍ବନା ଦେବା ସହ ଏ ଘଟଣା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.