ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୪/୨) : କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ । କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁସିକ୍ତା ମିଶ୍ର, ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ମିଳିତ ସହଯୋଗରେ ଗତ କାଲି ଅପରାହ୍ନରେ ବୋରିଗୁମ୍ମା ଇରିଗେସନ କଲୋନୀ ନିକଟସ୍ଥ ୬୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଭଡା ଘରୁ ୧୧୪୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।
OD 05 B 7887 ପଞ୍ଜୀକରଣ ନମ୍ବର ଥିବା ଏକ ବୋଲେରୋ ପିକ ଅପ ଭ୍ୟାନରେ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ବସ୍ତା ବୋଝେଇ ଚାଲିଥିବା ବେଳେ ଏସଡିପିଓ ମଧୁସିକ୍ତା ମିଶ୍ର ତଥା ଥାନା ଅଧିକାରୀ କ୍ଷୀରେଶ୍ଵର ସାହୁଙ୍କ ନେତୃତ୍ୱରେ ପୁଲିସ ଚଢାଉ କରି ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ୬ ଜଣ ଅପରାଧୀ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ଜଣାପଡିଛି । କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କିଛି ଗଣ ମାଧ୍ୟମରେ ଏକ ମାଉଜର ଜବତ ହୋଇଥିବା ପ୍ରକାଶ ପାଇଥିବା ବେଳେ ଆଜି ପୁଲିସ ପ୍ରେସମିଟରେ ତାହା ଖଣ୍ଡନ କରିଛି ।
ଘଟଣା ସ୍ଥଳରୁ ବୋଲେରୋ ପିକ ଅପ ଭ୍ୟାନ୍ ଜବତ କରାଯାଇ ଥାନା ପରିସରରେ ରଖାଯାଇଛି । ମାଫିଆ ମାନେ ସୀମାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡା ନେଇ ରହୁଥିବା ବେଳେ ଘର ମାଲିକଙ୍କୁ ଡାକି ଅନୁସନ୍ଧାନ କରି ମାଫିଆ ମାନଙ୍କ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ପୁଲିସ ତା’ର ଉଦ୍ୟମ ଜାରି ରଖିଥିବା ଜଣା ପଡିଛି । ସବ୍ ଇନ୍ସପେକ୍ଟର ରଞ୍ଜିତା ମାଡକାମୀ ଙ୍କ ଅଭିଯୋଗ ଭିତ୍ତିରେ କେସ ପଞ୍ଜୀକୃତ କରି ଅତିରିକ୍ତ ଥାନା ଅଧିକାରୀ ଡମୁ ପରଜାଙ୍କୁ ଅନୁସନ୍ଧାନ କାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି ।