Friday, March 29, 2024

Top 5 This Week

Related Posts

ଆଜିବି ସରକାରୀ ଯୋଜନା ଅପହଞ୍ଚ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୨୧/୨) : ଆଜିବି ସରକାରୀ ଯୋଜନା ଅପହଞ୍ଚ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ଗାଁ କୁ ରାସ୍ତା, ମାଁ କୁ ସମ୍ମାନ, ଭୋକିଲା ପେଟରେ ଦାନା ଦେବାର ସ୍ଲୋଗାନ ଦେଇ ନବୀନ ବାବୁ ଦୀର୍ଘ ୨୩ ବର୍ଷ ହେଲା ଶାସନ କ୍ଷମତାରେ ରହି ଆସିଛନ୍ତି ।

ସତରେ କ’ଣ ଏହି ସ୍ଲୋଗାନର କିଛି ମୂଲ୍ୟ ଅଛି ? ସରକାରଙ୍କ ଯୋଜନା ମାଳ ମାଳ, କିନ୍ତୁ ଆଜିବି ସରକାରୀ ଯୋଜନା ଗରିବ ଖଟିଖିଆଙ୍କ ନିକଟରେ ଅପହଞ୍ଚ । ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଆଖୁସିଙ୍ଗ ଗ୍ରାମରେ । ଦୀର୍ଘ ୩୦ ବର୍ଷ ହେଲା ରାଜରାସ୍ତା କଡ଼ରେ ଭଙ୍ଗା ଦଦରା ଝୁପୁଡି ଘରେ ଜୋସେଫ ଲିମାଙ୍କ ପରିବାର ବାସ କରୁଛନ୍ତି । ପରିବାର କହିଲେ ସ୍ତ୍ରୀ, ତିନି ପୁଅ ଓ ଗୋଟିଏ ଝିଅ । ଘର କହିଲେ ଭଙ୍ଗା ଦଦରା ଝୁପୁଡି ଟିଏ । ଏହି ଛଅ ପ୍ରାଣୀ କୁଟୁମ୍ବ ସେହି ଝୁପୁଡିରେ ରହିବାକୁ ସକ୍ଷମ ନହେବାରୁ ପୁଅମାନେ ଦାଦନ ଖଟିବାକୁ ଚାଲିଯାଇଥିବା ସୂଚନା ମିଳିଛି । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୩୦ କେଜି ଚାଉଳ ଛଡ଼ା ଅନ୍ୟ କିଛି ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ଜୋସେଫ ଲିମାଙ୍କ ପରିବାର ।

ଘରଟିଏ ପାଇଁ ପଞ୍ଚାୟତ, ବ୍ଲକ, ଜିଲ୍ଲାପାଳ, ସରପଞ୍ଚ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା ମନ୍ତ୍ରୀ ସମସ୍ତଙ୍କୁ ଗୁହାରି କରିଛନ୍ତି, କିନ୍ତୁ ଗରିବଙ୍କ ଡାକ ଶୁଣୁଛି କିଏ ? ରାଜରାସ୍ତା କଡ଼ରେ ଦୀର୍ଘ ୩୦ ବର୍ଷ ହେଲା ରହିଆସୁଥିବା ଜୋସେଫ ଲିମାଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି । ଭୋଟ ସମୟରେ ନେତା ମନ୍ତ୍ରୀ ମାନେ ପ୍ରତିଶ୍ରୁତିରେ ପୋତି ପକାନ୍ତି ନିର୍ବାଚନ ସରିଗଲେ କାହାର ଦେଖା ମିଳୁଥିବା ଜୋସେଫ ଅଭିଯୋଗ କରିଛନ୍ତି । ଭୂମିହୀନ ଜୋସେଫ କୁଲି କଷ୍ଟ କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳେ ।

ବର୍ଷାଦିନେ ସେହି ଘରେ ରହିବା କଷ୍ଟକର ହୋଇପଡେ, ପଲିଥିନ ଚିରି ଯାଇଥିବାରୁ ଘର ସାରା ପାଣି ଭର୍ତ୍ତି ହୋଇଯାଏ । ଫଳରେ ଲୋକଙ୍କ ବାରଣ୍ଡାରେ ପରିବାର ଲୋକେ ଆଶ୍ରୟ ନେଇଥାନ୍ତି । ତେବେ କେବେ ସରକାରଙ୍କ ଏହି ଅବହେଳିତ ପରିବାର ପ୍ରତି ଦୃଷ୍ଟି ପଡୁଛି ଓ ଜୋସେଫ ଲିମାଙ୍କ ପରିବାର ଆବାସ ଯୋଜନାରେ ସାମିଲ ହୋଇ ସରକାରୀ ଘର ଖଣ୍ଡିଏ ପାଇବାର ସ୍ଵପ୍ନ ପୂରଣ ହେଉଛି ଦେଖିବାକୁ ବାକି ରହିଲା ।

Popular Articles