୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି, ଛତିଶଗଡ଼ ଗଲେ ବିଶ୍ୱଭୂଷଣ

0
101
୧୨

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ//
ଭୁବନେଶ୍ୱର, (୧୨/୦୩) : ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ । ୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି । ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈଶଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ସେହିପରି LT ଜେନେରାଲ କେ.ଟି ପରନାୟକଙ୍କୁ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ସିପି ରାଧାକ୍ରିଷ୍ଣନ୍‌, ଆସାମା ରାଜ୍ୟପାଳ ଭାବେ ଗୁଲାବ ଚାନ୍ଦ କଟାରିଆ ଓ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଶିବ ପ୍ରତାପ ଶୁକ୍ଲାଙ୍କୁ ଦାୟିତ୍ୱ ଦିଆଯାଇଛି ।

ହିମାଚଳ ପ୍ରଦେଶ ରାଜ୍ୟପାଳ ଆର୍.ଭି. ଆର୍ଲେକରଙ୍କୁ ବିହାର ଦାୟିତ୍ୱ ଦିଆଯାଇଛି । ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ୍ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏସ୍‌. ଅବଦୁଲ ନଜିରଙ୍କୁ ଆନ୍ଧ୍ରପ୍ରଦେଶ ଓ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ସିକ୍କିମ୍ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ମଣିପୁର ରାଜ୍ୟପାଳ ଲା.ଗଣେଶନ୍ ନାଗାଲାଣ୍ଡର ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଓ୍ୱିକିଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ଲଦାଖ ଉପରାଜ୍ୟପାଳ ରାଧାକ୍ରିଷ୍ଣନ୍ ମାଥୁର୍‌ଙ୍କ ଇସ୍ତଫା ଗୃହୀତ ହୋଇଛି । ତାଙ୍କ ସ୍ଥାନରେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି ମିଶ୍ରାଙ୍କୁ ଉପରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି ।