ଏପ୍ରିଲ ରୁ ଗଡ଼ିବନି ୧୫ବର୍ଷ ପୁରୁଣା ସରକାରୀ ଗାଡ଼ି

0
111
ଏପ୍ରିଲ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ//
ଭୁବନେଶ୍ୱର, (୦୫.୦୨) : ୧୫ ବର୍ଷରୁ ପୁରୁଣା ହୋଇଥିବା ସରକାରୀ ଗାଡି ୨୦୨୩ ଏପ୍ରିଲ ପହିଲାରୁ ଆଉ ରାସ୍ତାରେ ଗଡିବନି। ୩୧ ମାର୍ଚ୍ଚ ସୁଦ୍ଧା ସେସବୁ ପୁରୁଣା ଗାଡିକୁ ସ୍କ୍ରାପିଂ କରିବାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି । ସ୍କ୍ରାପିଂ ପରିଚାଳନା ପାଇଁ ପରିବହନ ବିଭାଗର ନିଯୁକ୍ତ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।eek07d3 car 625x300 07 January 22 ଏପ୍ରିଲ ରୁ ଗଡ଼ିବନି ୧୫ବର୍ଷ ପୁରୁଣା ସରକାରୀ ଗାଡ଼ି

ବିଦ୍ୟୁତ ଚାଳିତ ଗାଡି ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଥିବାବେଳେ ଚାହିଦା ସମ୍ପର୍କରେ ଓରେଡାକୁ ଜଣାଇବାକୁ ବିଭାଗଗୁଡିକୁ କୁହାଯାଇଛି । ଏପ୍ରିଲ ପହିଲାରୁ ଆଉ ୧୫ ବର୍ଷରୁ ଉର୍ଦ୍ଧ୍ଵ ଘରୋଇ ଗାଡି ସ୍କ୍ରାପିଂ କଲେ ସରକାରଙ୍କ ପକ୍ଷରୁ ଟିକସ ରିଆତି ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପୌରପାଳିକା, ସରକାରୀ ଉଦ୍ୟୋଗ, ନିଗମର ଗାଡି ପ୍ରାଥମିକ ରେଜିଷ୍ଟ୍ରେସନ ହେବାର ୧୫ ବର୍ଷ ପୂରଣ କରିବା ପରେ ଆଉ ରାସ୍ତାରେ ଗଡିବନି। ୧୫ ବର୍ଷ ପରେ ସେଗୁଡିକ ରେଜିଷ୍ଟ୍ରେସନ ରଦ୍ଦ ହୋଇଯିବ। ୧୫ ବର୍ଷ ପୂରଣ କରିବା ପରେ ନବୀକରଣ ହୋଇଥିବା ଗାଡିର ରେଜିଷ୍ଟ୍ରେସନ ରଦ୍ଦ ବୋଲି ମଧ୍ୟ ବିବେଚନା କରାଯିବ ।

ଏ ନେଇ ଅର୍ଥବିଭାଗ ସ୍ମାରକପତ୍ର (ମେମୋରେଣ୍ଡମ) ଜାରି କରିଛି । ଗାଡିର ସ୍କ୍ରାପିଂ କାର୍ଯ୍ୟ ସୁବିଧାରେ କରିବାକୁ ସ୍କ୍ରାପିଂ ନୀତି କରାଯାଇଛି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସେମାନଙ୍କ ଅଧୀନରେ ଥିବା ନିଗମ ତଥା ଅନ୍ୟାନ୍ୟ ସଂସ୍ଥାର ୧୫ ବର୍ଷର ପୁରୁଣା ଗାଡି ରେଜିଷ୍ଟ୍ରିଭୁକ୍ତ ଗାଡି ସ୍କ୍ରାପିଂ ସୁବିଧାକେନ୍ଦ୍ର(ଆରଭିଏସଏଫ)ରେ ସ୍କ୍ରାପିଂ କରାଯିବ । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସ୍କ୍ରାପିଂ କାର୍ଯ୍ୟ ଶେଷ କରିବା ସହ ଏ ସମ୍ପର୍କରେ ଅବଗତ କରିବାକୁ ସବୁ ବିଭାଗକୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଲେଖିଥିବା ଚିଠିରେ ଦର୍ଶାଯାଇଛି ।

ସରକାରୀ ବିଭାଗ ଓ ଏହାର ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ ବିଦ୍ୟୁତ ଚାଳିତ ଗାଡି ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି । ବିଦ୍ୟୁତ ଚାଳିତ ଗାଡି ଯୋଗାଣ ପାଇଁ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ କର୍ତ୍ତୃପକ୍ଷ(ଓରେଡା)କୁ ପ୍ରାଧିକୃତ କରାଯାଇଛି । ତେଣୁ ବିଭାଗଗୁଡିକ ସେମାନଙ୍କର ଆବଶ୍ୟକ ସଂଖ୍ୟକ ଗାଡି ଚାହିଦା ସମ୍ପର୍କରେ ଓରେଡାକୁ ଜଣାଇବାକୁ କୁହାଯାଇଛି। ତା’ଛଡା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲିଜ ତଥା ଭଡାରେ ଲାଗୁଥିବା ଗାଡିଗୁଡିକ ମଧ୍ୟରୁ ଅନ୍ୟୂନ ୨୦ ପ୍ରତିଶତ ବିଦ୍ୟୁତ ଚାଳିତ ଗାଡି ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି ।

ବିଦ୍ୟୁତ ଚାଳିତ ଗାଡିଗୁଡିକର ଭଡା ବାବଦରେ ବୈଷୟିକ କମିଟି ରିପୋର୍ଟ ଆଧାରରେ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିବ । ଅନ୍ୟପକ୍ଷରେ ଘରୋଇ ଗାଡିଗୁଡିକୁ ସ୍କ୍ରାପିଂ ପାଇଁ ପ୍ରୋତ୍ସାହିତ କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି । ୧୫ ବର୍ଷରୁ ଉର୍ଦ୍ଧ୍ଵ ଗାଡି ସ୍କ୍ରାପିଂ କଲେ ବକେୟା ଟିକସ ଓ ଜରିମାନା ଅର୍ଥ ଛାଡ କରାଯିବାକୁ ଘୋଷଣା କରାଯାଇଛି ।