କୃଷିବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ

0
123
କୃଷିବିଜ୍ଞାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୨) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ସଭାଗୃହରେ ଅଷ୍ଟାଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ଡଃ ଅକ୍ଷୟ କୁମାର ସେନାପତି (ବିଭାଗିୟ ମୁଖ୍ୟ, ଉଦ୍ଭିଦ ରୋଗ ନିଦାନ ବିଭାଗ) ଅଧ୍ୟକ୍ଷତା କରି କୃଷିବିଜ୍ଞାନ କେନ୍ଦ୍ରର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ଓ କୃଷକ ମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡଃ ଅମରେଶ ଖୁଣ୍ଟିଆ (ଯୁଗ୍ମ ନିର୍ଦ୍ଦେଶକ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁ ଏଟି) ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସମିକ୍ଷା କରିବା ସହିତ ବହୁ ଉପାଦେୟ ତଥ୍ୟ ଓ କୃଷି ଭିତ୍ତିକ ଜ୍ଞାନ କୌଶଳର ଅବତାରଣା କରିଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଶ୍ରୀ ରାଜୀବ ଟୁଡୁ ବିଗତ ରବି ଋତୁ ଓ ଚଳିତ ବର୍ଷ ଖରିଫ କାର୍ଯ୍ୟକ୍ରମ ର ସଫଳତା ପ୍ରଦର୍ଶିତ କରିବା ସହ ୨୦୨୨-୨୩ ର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପ୍ରମୁଖ ବୈଜ୍ଞାନିକ ଡଃ କଲ୍ୟାଣ ସୁନ୍ଦର ଦାସ , କନ୍ଧମାଳ ସ୍ଥିତ ଗବେଷଣା କେନ୍ଦ୍ରର ସହଯୋଗି ଗବେଷଣା ନିର୍ଦ୍ଦେଶକ ଡ଼ଃ ଜ୍ଞାନଲୋକ ଦାସ , ଉପଜିଲ୍ଲା ପ୍ରବନ୍ଧକ (ନାବାର୍ଡ) ସନ୍ତୋଷ କୁମାର ସାମଲ ଓ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଗଜପତି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ମୁଖ୍ୟ, ଅଗ୍ରଣୀ ଚାଷୀ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ମରୁଡି ସହନଶୀଳ ସ୍ୱଳ୍ପ ଅବଧିଯୁକ୍ତ ଧାନ କିସମ, ରୋଗ ପୋକ ପରିଚାଳନା, ସମନ୍ଵିତ ଖାଦ୍ୟସାର ପରିଚାଳନା , ଛତୁ ଚାଷ, ମହୁ ଚାଷ, ମିଠା ମକା, ମୁଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି, କୁକୁଡ଼ା ପାଳନ, କୃଷକ ଉତ୍ପାଦକ ସଙ୍ଗଠନ ଆଦି ବିଷୟରେ ଆଲୋଚନା ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ସଂପ୍ରସାରଣ ବୈଜ୍ଞାନିକ ଶ୍ରୀ ବିନୋଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।