ରାୟଗଡାରେ ଧୂମଧାମରେ ପାଳିତ ମକର ସଂକ୍ରାନ୍ତି

ରିପୋର୍ଟ: ଗୋପୀନାଥ ଗୌଡ଼ ||
ରାୟଗଡା (୧୫/୦୧): ଓଡିଶା ଏକ ପୂଣ୍ୟଭୂମି | ଏହାର ଜଳବାୟୁ, ବଣପାହାଡ଼, ନଦୀହ୍ରଦ ସବୁକିଛି ପୂଜ୍ୟ | ଏହାର ପ୍ରତ୍ୟେକ ଧୂଳି କଣାରେ ମହାନତା ଓ ପବିତ୍ରତା ଭରିରହିଛି | ଭାରତୀୟ ପ୍ରତ୍ୟେକ ବ୍ୟକ୍ତି ଧର୍ମପାରାୟଣ ହେତୁ ହର୍ଷ ଓ ପ୍ରଫୁଲ୍ଲ ଚିତ୍ତରେ ବାର ମାସରେ ତେରପର୍ଵ ପାଳନ କରିଥାନ୍ତି | ତେଣୁ ଏହି ପର୍ଵ ମକରସଂକ୍ରାନ୍ତି ଓଡିଶାର କୋଣ ଅନୁକୋଣରେ ବିଭିନ୍ନ କାରଣ ଦୃଷ୍ଟିରେ ପାଳନ କରାଯାଇଥାଏ |

ଆମ ଓଡ଼ିଶାର ପ୍ରାଣ ଓ ଗୌରବ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ମକରସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଥାନ୍ତି | ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ସ୍ୱତନ୍ତ୍ର ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି | ଜଗନ୍ନାଥ ସଂସ୍କୃତି ଅନୁଯାୟୀ ଆଜି ମାତା ଲକ୍ଷ୍ମୀ ନିଜ ବାପଘରୁ ଶ୍ରୀମନ୍ଦିର କୁ ଫୁଲ ଭାର ନେଇ ଆସିଥାନ୍ତି ଯାହାକି ବଡଓଡ଼ିଆ ମଠ ତରଫରୁ ଯୋଗାଇ ଦିଆ ଯାଇଥାଏ | ଅନ୍ୟଏକ ଦୃଷ୍ଟିରେ ଆଜି ଚଳନ୍ତି ନାରାୟଣ ଶ୍ରୀ ସୂର୍ଯ୍ୟନାରାୟଣ ଦକ୍ଷିଣାୟଣରୁ ଉତ୍ତରାୟଣ ହୁଅନ୍ତି | ଦକ୍ଷିଣ ଓଡ଼ିଶାରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରlଦ୍ଧତର୍ପଣ କରନ୍ତି | ତେଲୁଗୁ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ପୋଙ୍ଗଲ(ପାଣ୍ଡୁଙ୍ଗୁ)ବୋଲି କହିଥାନ୍ତି | ଏବଂ ରାୟଗଡା ଆନ୍ଧ୍ର ପ୍ରଦେଶର ସୀମାନ୍ତ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରେ ତେଲୁଗୁ ସମ୍ପ୍ରଦାୟର ପ୍ରାଧାନ୍ୟ ପର୍ବ ପର୍ବାଣୀ ପାଳନ ଅତ୍ୟଧିକ ଦେଖିବାକୁ ମିଳେ | ତେଣୁ, ରାୟଗଡା ଜିଲ୍ଲାରେ ମଧ୍ୟ ଏହି ମକରସଂକ୍ରାନ୍ତିକୁ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି |

ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଏହି ପର୍ବର ପ୍ରାରମ୍ଭିକ ପର୍ବ ଭୋଗୀ ପାଳନ ହୋଇସାରିଛି | ଏହି ପର୍ବରେ ବିଭିନ୍ନ ସ୍ଥାନରେ କାଠ ଗଦା କରି ନିଆଁ ଲଗାଇବା ବିଧିକୁ ପାଳନ କରିବା ପରେ ଏଥିରେ ଗୋବର ଘୋଷି ଓ ହଳଦୀ ସିନ୍ଦୁର ଏବଂ ନାନା ପ୍ରକାର ବିଧିରେ ପାଳନ କରିଥାନ୍ତି | ଏହାପରେ ଶ୍ରାଦ୍ଧତର୍ପଣ ବିଧି ପାଳନ କରିଥାନ୍ତି | ତେଲୁଗୁ ସମ୍ପ୍ରଦାୟର ଘରେ ଘରେ ପିଠା ପଣା, ନାନା ବ୍ୟଞ୍ଜନ ହୋଇଥାଏ | ପିତୃ ଲୋକଙ୍କୁ ପୂଜା ଓ ତର୍ପଣ କରିବା ପରେ ନୂତନ ବସ୍ତ୍ର ପରିଧାନ କରିବା ସହ ବନ୍ଧୁ ବାନ୍ଧବକୁ ନିମନ୍ତ୍ରଣ କରି ସାରା ପରିବାର ଏହି ପର୍ବରେ ଏକତ୍ରିତ ହୋଇଥାନ୍ତି | ତୃତୀୟ ଦିବସରେ ଆମିଷ ପ୍ରସ୍ତୁତିର ବିଦ୍ଧି ରହିଛି | ପଶ୍ଚିମ ଭାରତରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇ ବାର ପରମ୍ପରା ରହିଛି |

ପୂର୍ବଭାରତ ଆସାମରେ ଏହି ପର୍ବ କୁ ବିହୁପର୍ବ ରୁପେ ପାଳନ କରନ୍ତି | ଆଜିର ଏହି ପବିତ୍ର ମକର ସଂକ୍ରାନ୍ତି ଦିନରେ ସମସ୍ତ ଜଳାଶୟ ଏବଂ ଗଙ୍ଗାନଦୀରେ ବୁଢ଼ ଦେବା ପରମ୍ପରା ରହିଛି | ମାନ୍ୟତା ଅନୁଯାୟୀ ଆଜିର ଏହି ପବିତ୍ର ମକର ସଂକ୍ରାନ୍ତି ଦିନରେ ହିଁ ଭାଗିରଥୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଗଙ୍ଗାମାତା ଧରାପୃଷ୍ଠରେ ଅବତରଣ କରିଥିଲେ | ଅନ୍ୟ ଏକ ମାନ୍ୟତା ଅନୁସାରେ ଭୀଷ୍ମ ପିତାମହ ଏହି ଉତ୍ତରାୟଣ ଦିନ ହିଁ ନିଜ ଶରୀର ତ୍ୟାଗ କରିଥିଲେ | ଏହିପରି ଗୋଟିଏ ପର୍ବ ପାଳନକୁ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ | ଏହାହିଁ ହେଉଛି ଭାରତୀୟ ସଂସ୍କୃତିର ମହନୀୟତା, ବିଭିନ୍ନତା ଭିତରେ ଏକତା |

Comments are closed.