ପୋଙ୍ଗଲ ଏକ କୃଷି-ଭିତ୍ତିକ ଭାଇଚାରା ର ବାର୍ତ୍ତାବାହୀ ଗଣପର୍ବ

0
114
ପୋଙ୍ଗଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୧) : ପୋଙ୍ଗଲ ଏକ କୃଷି-ଭିତ୍ତିକ ପର୍ବ । ଶଷ୍ୟସଂଗ୍ରହ ଋତୁରେ ଏହା ପାଳନ କରା ଯାଇଥାଏ । ଏହି ସମୟରେ ଲୋକମାନେ ଏକତ୍ରିତ ହୋଇ ପ୍ରକୃତି , ପୃଥିବୀ ଓ କୃଷି ସହାୟକ ପଶୁମାନଙ୍କର ପୂଜା କରିଥାନ୍ତି ।WhatsApp Image 2023 01 16 at 08.31.44 ପୋଙ୍ଗଲ ଏକ କୃଷି-ଭିତ୍ତିକ ଭାଇଚାରା ର ବାର୍ତ୍ତାବାହୀ ଗଣପର୍ବ

ତାମିଲନାଡୁରେ ପୋଙ୍ଗଲ ପର୍ବ ପାରମ୍ପରିକ ରୀତିରେ ଶ୍ରଦ୍ଧାର ସହିତ ପାଳନ କରାଯାଏ । ଦକ୍ଷିଣ ଭାରତର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ବି ଏହା ଏକ ଗଣପର୍ବ । ଓଡ଼ିଶାର ଆନ୍ଧ୍ର ସୀମାକୁ ଲାଗିଥିବା ଅଞ୍ଚଳ ମାନଙ୍କରେ ଉଭୟ ଓଡିଆଭାଷୀ ଓ ତେଲୁଗୁଭାଷୀ ଲୋକମାନେ ଉତ୍ସାହ ଓ ଉଦ୍ଦୀପନା ସହ ଏହି ପର୍ବ ପାଳନ କରିଥାନ୍ତି ।

ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଓ ଏନ୍ ଏ ସି ଆନ୍ଧ୍ରର ନିକଟବର୍ତ୍ତୀ ଅଂଚଳରେ ବିଭିନ୍ନ ଭାଷାଭାଷୀ ଲୋକମାନେ ବସବାସ କରୁଥିବାର ଦେଖାଯାଇଥାଏ । ଏଠାରେ ଓଡ଼ିଆ, ତେଲଗୁ , ସଉରା ଭାଷାଭାଷୀ ଲୋକମାନେ ବସବାସ କରନ୍ତି । ସାଂସ୍କୃତିକ ବିନିମୟରେ ସମୃଦ୍ଧ ଏ ଅଂଚଳରେ ପୋଙ୍ଗଲ ଭାଇଚାରାର ବାର୍ତ୍ତା ବହନ କରି ପାଳିତ ହୋଇଥାଏ । ଓଡ଼ିଆଭାଷୀ ଲୋକମାନେ ମକର ସଂକ୍ରାନ୍ତି ଦିନ ପୂଜା ଅର୍ଚ୍ଚନା ସହ ମକର ଚାଉଳ ପ୍ରସ୍ତୁତ କରି ବାଣ୍ଟିଥାନ୍ତି । ତେଲୁଗୁଭାଷୀ ଲୋକମାନେ ପିଣ୍ଡ ପ୍ରଦାନ କରିଥାନ୍ତି ପିତୃପୁରୁଷଙ୍କୁ ଗୋପୂଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହୋଇଥାଏ ।

” ଭୋଗି ” ଦିନରୁ ଆରମ୍ଭ ହୁଏ ପୋଙ୍ଗଲ . ଉକ୍ତ ଦିନ ରାତିରେ ଗୃହିଣୀମାନେ ବିଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରି ଝୋଟି ପକାନ୍ତି ଘର ଆଗରେ . ଅବ୍ୟବହୃତ ଶୁଷ୍କ କାଠଗଣ୍ଡିରେ ନିଆଁ ଲଗାଇ ” ରାବଣପୋଡ଼ି ” କରାଯାଏ । ରାଵଣଙ୍କୁ ରାମଚନ୍ଦ୍ର ଏହି ଦିନ ବଧ କରିଥିଲେ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

“ଭୋଗି” ପରେ ସଂକ୍ରାନ୍ତି , ଓ ସଂକ୍ରାନ୍ତି ପରେ ” କାଣୁମା ” ମୁକ୍କାଣୁମା ” ପାଳନ କରାଯାଏ । ନୂଆ ବସ୍ତ୍ର ପିନ୍ଧି ଆତ୍ମୀୟ ସ୍ଵଜନ ବନ୍ଧୁ ବନ୍ଧୁବାନ୍ଧବଙ୍କ ଗହଣରେ ଲୋକମାନେ ବିଭିନ୍ନ ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ଖାଇ ହର୍ଷ ଉଲ୍ଲାସରେ ସମୟ ବିତାଇଥାନ୍ତି . ଘରକୁ ଆସିଥିବା ନୂଆ ଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଏ । ଆରିସା , ପଙ୍ଗଡାଲୁ, ଚକ୍ରକେଳି, ପୁଲିହୋରା, ଗାରି, ଦଦ୍ଦୋଜନମ୍ [ ଦହିଭାତ ] ପ୍ରଭୃତି ପୋଙ୍ଗଲ ସମୟର ମୁଖ୍ୟ ଖାଦ୍ୟ ।

ପୋଙ୍ଗଲ ଅବସରରେ ” ଗାଙ୍ଗୀରେଦ୍ଦୁ ” ବି କାଶୀନଗରକୁ ସୀମାଞ୍ଚଳରୁ ଆସିଥାଏ । ଏହା ଓଡ଼ିଶାର ” ବାସୁଆ ବଳଦ ” ଅନୁରୂପ । ଏହି ବଳଦକୁ ନେଇ ଆସିଥିବା ଲୋକମାନେ ଘର ଘର ବୁଲି ଆଶୀର୍ବାଦ ଦେଇଥାନ୍ତି । ସେମାନଙ୍କୁ ଗୃହକର୍ତ୍ତା ଗୃହିଣୀମାନେ ଖାଦ୍ୟ ଓ ଦକ୍ଷିଣା ଦେବାର ପରମ୍ପରା ରହିଛି । ଗାଙ୍ଗୀରେଦ୍ଦୁ ଡାହାଣ ଗୋଡ଼କୁ ଗୃହ ପରିସରରେ ରଖି ଆଶୀର୍ବାଦ ଦେଇଥାଏ । ପୋଙ୍ଗଲ୍ କାଶୀନଗର ବ୍ଲକ୍ ଓ ଏନ୍ ଏ ସିରେ ବାସ୍ତବିକ ଭାଇଚାରାର ବାର୍ତ୍ତାବାହୀ ଏକ ଗଣପର୍ବ ।