ଯୋଗୀସର୍ଡରେ ଧନଖଳା ପୋଡିଲା, ଦୁଇଶହ କୁଇଣ୍ଟାଲ ଧାନ ନଷ୍ଟ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୨୨/୧୨): ଲୋଇସିଂହା ବ୍ଲକ ଯୋଗୀସର୍ଡ ଗ୍ରାମରେ ଗତକାଲି ରାତି ଦେଢଟାରେ ଖଳାରେ ଗଦା ହୋଇଥିବା ଧାନଖରି ପୋଡି ଯାଇ ପ୍ରାୟ ୨୦୦ କୁଇଣ୍ଟାଲ ଧାନ ନଷ୍ଟ ହୋଇଥିବା ଜଣାଯାଇଛି । ଖବର ପାଇ ଲୋଇସିଂହାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।

ଯୋଗୀସର୍ଡ ଗ୍ରାମର ସଦାନନ୍ଦ ପଧାନ ନିଜର ଚାଷଜମି ସମେତ ଗ୍ରାମର ଆଉ କିଛି ବ୍ୟକ୍ତିଙ୍କ ଜମିକୁ କର ସୂତ୍ରରେ ଚାଷ କରୁଥିଲେ । ସମସ୍ତ ଧାନକୁ ସେ ଖଳାରେ ପ୍ରାୟ ୬ ଟି ଧାନଖରି କରି ଅମଳ ଉଦ୍ଦେଶ୍ୟରେ ଜମା କରିଥିଲେ । ଶନିବାର ରାତି ୧ ଟା ୩୦ ରେ ଧାନଖରି ଜଳୁଥିବା ଜାଣିବାକୁ ପାଇ ସଦାନନ୍ଦ ଧାନଖଳାକୁ ଯାଇ ନିଆଁ କୁ ଲିଭାଇବାକୁ ଚେଷ୍ଟା କରିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଧାନଖଳାରେ ପହଂଚି ନିଆଁ ଲିଭାଇ ଥିଲେ ମଧ୍ୟ ସେତେବେଳକୁ ସମସ୍ତ ଧାନଖରୀ ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ ରୁ ଅଧିକ କୁଇଣ୍ଟାଲ ଧାନ ପୋଡି ଯାଇଥିବା ଜାଣିବାକୁ ମିଳିଛି । କେହି ଦୁର୍ବୁର୍ତ୍ତ ଧାନଖଳାରେ ନିଆଁ ଲଗାଇ ଦେଇଥିବା ସାଧାରଣରେ ମତପ୍ରକାଶ ପାଉଛି ।

ଲୋଇସିଂହା ତହସିଲଦାର ଛୁଟିରେ ଥିବାବେଳେ ରାଜସ୍ୱ ନିରୀକ୍ଷକ କୌଣସି ପରୀକ୍ଷା ଦେବା ପାଇଁ ବାହାରେ ଥିବା ଯୋଗୁଁ ଘଟଣା ସ୍ଥଳକୁ ଅଦ୍ୟାବଧି କୌଣସି ପ୍ରଶାସନିକ ଅଧିକାରୀ ପରିଦର୍ଶନରେ ଯାଇ ନଥିବା ଜଣାଯାଇଛି । ଉପଯୁକ୍ତ କ୍ଷୟକ୍ଷତି ଆକଳନ ପୂର୍ବକ ପ୍ରଭାବିତ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ସକାଶେ ସାଧାରଣରେ ଦାବି ହେଉଛି ।

Comments are closed.