ପ୍ରଥମ ଟି-୨୦ ମ୍ୟାଚ : ଶ୍ରୀଲଙ୍କା ପରାସ୍ତ

0
102
ପ୍ରଥମ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୪/୦୧) : ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ୨ ରନ୍‌ରେ ଜିତି ନେଇଛି ଭାରତ ।

ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତିବାର ଅନେକ ସୁଯୋଗ ଓ ସମ୍ଭାବନା ରହିଥିଲେ ମଧ୍ୟ ଶେଷ ଓଭରର ଶେଷ ଦୁଇ ବଲ୍‌ରେ ଦଳର ଦୁଇ ଜଣ ବ୍ୟାଟ୍‌ର ରନ୍‌ ଆଉଟ୍‌ ହେବାରୁ ମ୍ୟାଚ୍‌ ଭାରତ ସପକ୍ଷରେ ଚାଲିଯାଇଥିଲା । ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ଦୀପକ ହୁଡାଙ୍କୁ ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି । ସେ ମାତ୍ର ୨୩ ବଲ୍‌ରୁ ୪୧ ରନ୍‌ କରିଥିଲେ । ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ମଙ୍ଗଳବାରଠୁ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୬୨ରନ୍ ସଂଗ୍ରହ କରିଥିଲା ।

ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କ । ଈଶାନ କିଷନ ଓ ଶୁବମନ ଗିଲ୍ ଇଂନିସ ଓପନ କରିବାକୁ ଆସିଥିଲେ । ତେବେ ମାତ୍ର ୨.୩ ଓଭରରେ ଭାରତକୁ ଲାଗିଥିଲା ପ୍ରଥମ ଝଟକା । ମାତ୍ର ୭ ରନ୍ (୫ ବଲ୍‌) କରି ଆଉଟ୍ ହୋଇଯାଇଥିଲେ ଶୁବମନ ଗିଲ୍‌ । ମହୀଶ ତୀକ୍ଷଣାଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ଏହା ପରେ କ୍ରିଜ୍‌କୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ। ହେଲେ ସେ ବି ଅଧିକ ସମୟ ରହିପାରିଲେ ନାହିଁ । ୧୦ଟି ବଲ୍‌ରୁ ୭ ରନ୍ କରିଥିବା ବେଳେ ଚାମିକା କରୁଣାରତ୍ନେଙ୍କ ବଲ୍‌ରେ ଭାନୁକା ରାଜପକ୍ଷଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେତେବେଳକୁ ଦଳର ସ୍କୋର ୫.୧ ଓଭରରେ ୩୮ ହୋଇଥିଲା ।

ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ୬.୫ ଓଭରରେ ଧନଞ୍ଜୟ ଡି’ସିଲଭାଙ୍କ ବଲରେ ଦିଲଶାନ୍ ମଧୁଶଙ୍କାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେ ୬ଟି ବଲ୍ ଖେଳି ୫ ରନ୍ କରିଥିଲେ । ୪୬ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିବା ବେଳେ ସ୍ଥିତିକୁ ସମ୍ଭାଳିବାକୁ ଆସିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଈଶାନ କିଷନଙ୍କ ସହ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୩୧ ରନ୍‌ର ପାର୍ଟନରଶିପ୍ ହୋଇଥିଲା । ତେବେ ଦଳୀୟ ସ୍କୋର ୭୭ ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଈଶାନ । ୱାନିନ୍ଦୁ ହସରଙ୍ଗାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ ।

ଈଶାନ ଯିବା ପରେ ଦୀପକ ହୁଡାଙ୍କୁ ସାଥୀ କରି ଖେଳିଥିଲେ ହାର୍ଦ୍ଦିକ । ତେବେ ୨୯ ରନ୍ (୨୭) କରି ସେ ଦିଲଶାନ ମଧୁଶଙ୍କାଙ୍କ ବଲ୍‌ରେ କୁଶାଲ ମେଣ୍ତିସ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ୯୪ ରନ୍‌ରେ ଦଳ ୫ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଦଳ ଆଉ ଅଧିକ ସମୟ ତିଷ୍ଠି ପାରିବନି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ତାକୁ ଭୁଲ୍ ସାବ୍ୟସ୍ତ କରିଥିଲେ ଦୀପକ ହୁଡା ଓ ଅକ୍ଷର ପଟେଲ । ଏହି ଦୁଇ ଖେଳାଳି ଦମ୍‌ଦାର ଇନିଂସ୍ ଖେଳିଥିଲେ ଓ ଦଳକୁ ଏକ ଭଲ ସ୍ଥିତିକୁ ନେଇଥିଲେ । ସେମାନଙ୍କ ମଧ୍ୟରେ ୬୮ ରନ୍‌ର ପାର୍ଟନରଶିପ୍ ହୋଇଥିଲା । ଫଳରେ ଦଳର ସ୍କୋର ୧୬୨ରେ ପହଞ୍ଚିଥିଲା ।

ଦୀପକ ହୁଡା ଅପରାଜିତ ରହି ୨୩ଟି ବଲ୍‌ରୁ ୪୧ ରନ୍ (ଗୋଟିଏ ଚୌକା, ୪ଟି ଛକା) କରିଥିବା ବେଳେ ଅକ୍ଷର ମଧ୍ୟ ଅପରାଜିତ ରହି ୨୦ଟି ବଲ୍‌ରେ ୩୧ ରନ୍ (୩ଟି ଚୌକା ଓ ଗୋଟିଏ ଛକା) କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା, ମହୀଶ ତୀକ୍ଷଣା, ଚାମିକା କରୁଣାରତ୍ନେ, ଧନଞ୍ଜୟ ଡି’ସିଲ୍‌ଭା ଓ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳକୁ ଆରମ୍ଭରୁ ଝଟ୍‌କା ପରେ ଝଟ୍‌କା ଲାଗି ଚାଲିଥିଲା । ୧୦ ଓଭର୍‌ ୪ଟି ବଲ୍‌ ଭିତରେ ଦଳ ମାତ୍ର ୬୮ ରନ୍‌ ମଧ୍ୟରେ ପ୍ରମୁଖ ୫ ଜଣ ବ୍ୟାଟ୍‌ରଙ୍କୁ ହରାଇସାରିଥିଲା ।

ତେବେ ପରବର୍ତ୍ତୀ କେଇ ଓଭର୍‌ ମଧ୍ୟରେ ଅଧିନାୟକ ଦଶନ ଶନକଙ୍କ ୨୭ ବଲ୍‌ରେ ବିସ୍ଫୋରକ ୪୫, ଅଲ୍‌ ରାଉଣ୍ଡର ହସରଙ୍ଗ ଡି ସିଲ୍‌ଭାଙ୍କ ୧୦ ବଲ୍‌ରେ ୨୧ ଓ ଚମିକା କରୁଣାରତ୍ନଙ୍କ ୧୬ ବଲ୍‌ରେ ଅପରାଜିତ ୨୩ ରନ୍‌ ଫଳରେ ଶ୍ରୀଲଙ୍କା ସପକ୍ଷରେ ମ୍ୟାଚ୍‌ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଶେଷ ଆଡ଼କୁ ଚମିକା କରୁଣାରତ୍ନ ଗୋଟେ ପଟେ ଜମି ରହି ଦୁଇଟି ଛକା ବଳରେ ବିଜୟ ନିକଟବର୍ତ୍ତୀ ହୋଇଥିଲେ ହେଁ ଶେଷ ଓଭରର ଶେଷ ଦୁଇ ବଲ୍‌ରେ ଦୁଇ ଦୁଇଟି ରନ୍‌ ଆଉଟ୍‌ ମ୍ୟାଚକୁ ଭାରତ ସପକ୍ଷରେ ନେଇଥିଲା । ଶେଷ ଓଭରର ଶେଷ ଦୁଇ ବଲ୍‌ ବାକି ଥିବାବେଳେ ଶ୍ରୀଲଙ୍କା ଦଳ ୮ ୱିକେଟ୍‌ରେ ୧୫୯ ରନ୍‌ କରିସାରିଥିଲା ।

ବିଜୟ ପାଇଁ ଆଉ ମାତ୍ର ୪ ରନ୍‌ ଆବଶ୍ୟକ ଥିଲା । ମାତ୍ର ଶେଷ ଦୁଇ ବଲ୍‌ରେ ଶେଷ ଦୁଇ ବ୍ୟାଟର୍‌ କସୁନ ରଜିଥା ଓ ଦିଲସାନ ମଧୁଶଙ୍କା ରନ୍‌ ଆଉଟ୍‌ ହେଇଯାଇଥିଲେ। ଦଳର ରନ୍‌ ସଂଖ୍ୟା ୧୬୦ରେ ଅଟକି ଯାଇଥିଲା । ଚିତ୍ତାକର୍ଷକ ବ୍ୟାଟିଂ ଓ ଶେଷ ଦୁଇ ବଲ୍‌ରେ ଚମତ୍କାର ଫିଲ୍ଡିଂ କୌଶଳ ପ୍ରଦର୍ଶନ କରି ଶ୍ରୀଲଙ୍କାର ଦୁଇ ଜଣ ବ୍ୟାଟ୍‌ରଙ୍କୁ ରନ୍‌ ଆଉଟ୍‌ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦୀପକ ହୁଡା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଭାରତ ପକ୍ଷରୁ ଶିବମ ମାବି ନିର୍ଦ୍ଧାରିତ ୪ ଓଭରରେ ମାତ୍ର ୨୨ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲାବେଳେ ଉମରାନ୍‌ ମାଲିକ ୪ ଓଭରରେ ୨୭ ରନ୍‌ ଦେଇ ୨ଟି ଓ ହର୍ଷଲ ପଟେଲ ୪ ଓଭରରେ ୪୧ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ । ଅଧିନାୟ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ଓପନ୍‌ କରି ୩ ଓଭରରେ ମାତ୍ର ୧୨ ରନ୍‌ ଦେଇଥିଲେ ।