ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା/ଚନ୍ଦ୍ରପୁର, (୨୮/୧୨) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ଉପକଣ୍ଠ ମିନାଝୁଲାର ପବିତ୍ର ଶୈବପୀଠ ପରିସରରେ ଥିବା ଶ୍ରୀ ଜନକଲ୍ୟାଣ ଆଶ୍ରମରେ ଜିଲ୍ଲା ଚଇତି ମହୋତ୍ସବ ନିମନ୍ତେ ପବିତ୍ର ଜଳ ସଂଗ୍ରହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମିନାଝୁଲାର ତ୍ରିବେଣୀ ସଙ୍ଗମରୁ ଚଇତି ଉତ୍ସବ । ସ୍ୱାମୀ ଜାନକାନନ୍ଦ ଗିରୀଙ୍କ ଅଧକ୍ଷତା ଓ ଚନ୍ଦ୍ରପୁର ବ୍ଲକ ପ୍ରେସକ୍ଲବର ସଭାପତି ପ୍ରମୋଦ କୁମାର ସାହୁକାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରିଣୀ ସୁସ୍ମିତା ବାଉରୀ, ଜିଲ୍ଲା ସଂସ୍କୃତି ସଂଯୋଜକ ପ୍ରଦୀପ କୁମାର ମାଳବିଶୋଇ, ଚନ୍ଦ୍ରପୁର ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଗୁଡାରି ବିଡ଼ିଓ ନରସିଂହ ଚରଣ ସେଠୀ, ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ଅଫିସର ଆଦିତ୍ୟ ପ୍ରସାଦ ହୋତା, ମୁନିଗୁଡାର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,
ସାମାଜିକ କର୍ମୀ ପ୍ରମୋଦ କୁମାର ମୁଗୁଲି, ଫେସବୁକ ମିଡିଆ ମୁନିଗୁଡା ନିୟୁଜର ପ୍ରତିନିଧି ଗଣେଶ୍ବର ରାଓ,ଆଶ୍ରମର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତ୍ତା, ମିନକେତେନଶ୍ୱର ମହାଦେବଙ୍କ ପୂଜାରୀ, ସ୍ଥାନୀୟ ଭକ୍ତ ମାନେ ଉପସ୍ଥିତ ରହି ଆଗାମୀ ୨ତାରିଖରେ କିପରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପବିତ୍ର ବଂଶଧାରା, ଫଳଫଳିଆ ଓ ଚାଉଳଧୁଆ ନଦୀର ସଙ୍ଗମ ସ୍ଥଳରୁ କଳସୀରେ ଅଭିମନ୍ତ୍ରୀତ ଜଳ ସଂଗ୍ରହ କରାଯାଇ ରାୟଗଡ଼ା ଚଇତି ଉତ୍ସବକୁ ପଠାଯିବ ତାର ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।
ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ଚଇତି ମହୋତ୍ସବ ବହୁ ଧୁମଧାମରେ ପାଳିତ ହେବ । ଉତ୍ସବ ପ୍ରାରମ୍ଭ ଦିନ ପବିତ୍ର ଅଭିମନ୍ତ୍ରୀତ ଜଳରେ କଳସି ସ୍ଥାପନର ବିଧି ଥାଏ । ଏଣୁ ଚଳିତ ବର୍ଷ ଚନ୍ଦ୍ରପୁର ଓ ଗୁଡାରି ବ୍ଲକର ସୀମାନ୍ତ ସ୍ଥଳ ଭଗବାନ ଶିବଜୀଙ୍କ ପବିତ୍ର ଧାମ ମିନାଝୁଲାର ତ୍ରିବେଣୀ ସଂଗମରୁ ଏହି ପବିତ୍ର ଜଳ ସଂଗ୍ରହର ଆଧ୍ୟାତ୍ମିକ ପରମ୍ପରା ଆରମ୍ଭ ହେବ ବୋଲି ସ୍ଥିରୀକୃତ ହୋଇଥିଲା । ଆଜିର ଏହି ବୈଠକରେ ତ୍ରେବେଣି ସଂଗମରୁ ପବିତ୍ର ଜଳକୁ କଳସୀରେ ଧାରଣ ଓ ଯଜ୍ଞାଦି କାର୍ଯ୍ୟ ଏବଂ ଏହାର ସୁପରିଚାଳନା ଉପରେ ଆଲୋଚନା ହୋଇଥିଲା ।
ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ଯଜ୍ଞ ମଣ୍ଡପ, ପ୍ରସାଦ ସେବନ ମଣ୍ଡପ, ପୂଜାବିଧି, ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ, ଖାଦ୍ୟପେୟ, ସ୍ୱଚ୍ଛତା, ଲାଇଟ ବ୍ୟବସ୍ଥା, ଅସୁରକ୍ଷିତ ରୋଡ଼ର ମରାମତି ଏବଂ ପ୍ରଚାର ପ୍ରସାର ଉପରେ ଉପସ୍ଥିତ ସ୍ୱାମୀଜୀ, ସରକାରୀ ଅଧିକାରୀ, ଆଶ୍ରମ, କାର୍ଯ୍ୟକର୍ତ୍ତା, ପଦାଧିକାରୀ, ସ୍ଥାନୀୟ ଭକ୍ତ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବା ସହିତ ସଭିଙ୍କ ସହଯୋଗ କାମନା କରିଥିଲେ । ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ପ୍ରଶାସନ ସହିତ ଚନ୍ଦ୍ରପୁର ତହସିଲଦାରଙ୍କୁ ଆନୁସାଙ୍ଗିକ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଅନୁରୋଧ କରାଯାଇଥିଲା । ଏଥିସହ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୋଲିସର ସହାୟତା ପାଇଁ ବିଭାଗକୁ ଜଣାଇ ଦିଆଯିବା ନେଇ ପ୍ରସ୍ତାବ ଆଗତ ହୋଇଥିଲା ।
ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଆଶ୍ରମ ଓ ଶୈବପୀଠ ପରିସର ବୁଲି ଦେଖିବା ସହ ସ୍ୱାମୀଜୀଙ୍କ ପରାମର୍ଶକ୍ରମେ ଯଜ୍ଞସ୍ଥଳ ନନ୍ଦୀ ପୀଠ, ଶକ୍ତିସ୍ଥଳ ଓ ସଙ୍ଗମ ସ୍ଥଳ ପରିଦର୍ଶନ କରିବା ସହ କେଉଁଟା କେଉଁ ସ୍ଥାନରେ ହେବ ସ୍ଥାନ ନିରୂପଣ କରିଥିଲେ । ଶେଷରେ ସଭିଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ପ୍ରମୋଦ କୁମାର ସାହୁକାର ଧନ୍ୟବାଦ ଅର୍ପଣ କରିଥିଲେ । ଆଶ୍ରମର ସ୍ୱାମୀଜୀ ଜାନକାନନ୍ଦ ମହାରାଜ ସମସ୍ତ ଅତିଥିଙ୍କୁ ସ୍ୱାତିକ ପ୍ରସାଦ ସେବନ କରାଇବା ସହ ଆଶିଷ ପ୍ରଦାନ କରିଥିଲେ ।