ବ୍ୟାଙ୍କ କର୍ମଚାରୀ ଙ୍କ ଘରେ କଳାକନା ବୁଲାଇଲେ ଚୋର, ଛାଡ଼ିଗଲେ ନିଶୁଣୀ

0
108
ବ୍ୟାଙ୍କ କର୍ମଚାରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୬/୧୨) : ବ୍ୟାଙ୍କ କର୍ମଚାରୀ ଙ୍କ ଘରେ କଳାକନା ବୁଲାଇଲେ ଚୋର । ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ସହ ଗଡ୍ରେଜ୍‌ରେ ରହିଥିବା ନଗଦ ଟଙ୍କା ।

ହେଲେ ଛାଡ଼ି ଯାଇଛନ୍ତି ନିଶୁଣୀ । ବଲାଙ୍ଗୀର ସହର ଅନ୍ତର୍ଗତ ସତ୍ୟନାରାୟଣ ପଡାରେ ଘଟିଛି ଘଟଣା । ବ୍ୟାଙ୍କ କର୍ମଚାରୀ ବିଜନ କୁମାର ବାରିକଙ୍କ ଘରୁ ନୂଆ ଷ୍ଟାଇଲ୍‌ରେ ସବୁ ଜିନିଷ ଚୋରି କରି ନେଇଛନ୍ତି ଚୋର । ସୂଚନା ମୁତାବକ, ବଲାଙ୍ଗୀର ଷ୍ଟେଟବ୍ୟାଙ୍କର କର୍ମଚାରୀ ବିଜନ ବାରିକ ଅଫିସ୍ ଛୁଟି ଥିବାରୁ ଗତ ୨୪ ତାରିଖରୁ ନିଜ ଶଶ୍ୱର ଘରକୁ ବୁଲିବା ପାଇଁ ଯାଇଥିଲେ ।

ଆଜି ସନ୍ଧ୍ୟାରେ ଘରକୁ ଫେରି ଦେଖିନ୍ତି ଘରେ ଥିବା ସବୁ ଜିନିଷ ଚୋରି ହୋଇଯାଇଛି । ଚୋରମାନେ ଏକ ବାଉଁଶ ନିଶୁଣୀ ଦ୍ୱାରା ଘରର ପଛପଟୁ ଛାତକୁ ଚଢିଛନ୍ତି । ତାପରେ କବାଟ ଭାଙ୍ଗି ଘର ଭିତରକୁ ପଶିଛନ୍ତି । ଘର ଭିତରେ ଥିବା ଗଡ୍ରେଜ ଗୁଡିକ ଭାଙ୍ଗି ଟଙ୍କା, ସୁନା ସମେତ ଏଲଇଡି ଟିଭି, କଂପ୍ୟୁଟର ଚୋରି କରି ନେଇଯାଇଛି । ଏହା ସହିତ ଘର ଭିତରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଧରାପଡ଼ିବା ଭୟରେ ଚୋରମାନେ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସ ମଧ୍ୟ ଚୋରୀ କରି ନେଇଛନ୍ତି ।

ଏ ନେଇ ବିଜୟ ପୁଲିସରେ ଅଭିଯୋଗ କରିବା ପରେ ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଚୋରୀରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଚୋରମାନେ ଆଣିଥିବା ସିଡି ଘର ଭିତରେ ଛାଡ଼ି ଯାଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି । ଗତ କିଛି ଦିନ ତଳେ ସହରର କାରଗିଲ ନଗରର ଦୁଇ ଜଣଙ୍କ ଘରର ତାଲା ଭାଙ୍ଗି ଟଙ୍କା, ସୁନା ଚୋରୀ କରିଥିଲେ ଚୋର । ପୁଲିସ ଏହି ଚୋରଙ୍କୁ ଧରି ପାରି ନ ଥିବା ବେଳେ ପୁଣି ଗୋଟିଏ ଘଟଣା ଘଟିଛି । ଯାହାକୁ ନେଇ ପୁଲିସର ଅପରାଧି ଦମନ ଓ ସହର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଠିଆ ହୋଇଛି ।