Friday, March 29, 2024

Top 5 This Week

Related Posts

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୧୨) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ କୁମ୍ଭାରମୁଣ୍ଡା ଫରେଷ୍ଟ ସେକ୍ସନ ରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।WhatsApp Image 2022 12 23 at 20.52.37 1 ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ବିବରଣୀ ଅନୁଯାୟୀ ତରଭା ବ୍ଲକ ଚାରଭଟା ଗ୍ରାମପଞ୍ଚାୟତ ଅଧିନସ୍ଥ ସୁଖିଲାସର ଗ୍ରାମର ହର ରଣା (୬୫) ଧାନ ଖଳାରେ ତାଙ୍କର ଧାନ ଅମଳ କରି ବସ୍ତାରେ ଭର୍ତ୍ତି କରିବା ପରେ କୌଣସି କାରଣରୁ ଘରକୁ ନେଇ ପାରି ନଥିଲେ । ଧାନ ସବୁ ବସ୍ତାରେ ଭର୍ତ୍ତି ହୋଇ ଖଳାରେ ପଡ଼ି ରହିଥିଲା । ତେଣୁ ହର ରଣା ତାଙ୍କର ପୁତ୍ର ନିଲୁ ରଣା ଙ୍କ ସହିତ ଧାନ ଜଗିବା ପାଇଁ ରାତ୍ରରେ ଖଳାରେ ଶୋଇଥିଲେ । ଭୋର ୩ ଘଣ୍ଟା ସମୟ ରେ ହାତୀପଲ ଉକ୍ତ ଖଳାରେ ପହଞ୍ଚି ଥିଲେ । ହାତୀମାନଙ୍କୁ ଦେଖି ନିଲୁ ରଣା ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିବା ବେଳେ ହର ରଣା ହାତୀହାବୁଡରେ ପଡି ଯାଇଥିଲେ ‌। ହାତୀ ତାଙ୍କୁ ଗୋଡ଼ରେ ଦଳି ଦେଇଥିଲା ‌। ଫଳରେ ହର ରଣା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ପରିବାର ଲୋକେ ସକାଳୁ ଖଳାକୁ ଯାଇ ହର ରଣା କୁ ହାତୀଦଳି ମାରିଦେଇଥିବା ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ର ଏ ସି ଏଫ ପ୍ରଫୁଲ୍ଲ କୁମାର ଧରୁଆ, ରେଞ୍ଜର ମନୋରଞ୍ଜନ ବାଗ ଓ କୁମ୍ଭାରମୁଣ୍ଡା ଫରେଷ୍ଟର ଦିନେଶ ମାଝୀ ପ୍ରମୁଖ ବିଭାଗୀୟ କର୍ମଚାରୀ ମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ପୁଲିସ କୁ ଖବର ଦେବା ସହିତ ଶବକୁ ଜବତ କରି ତରଭା ଡାକ୍ତରଖାନା କୁ ପଠାଇ ଥିଲେ । ଖବରପାଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହିତ ତରଭା ଥାନା କୁ ଖବର ଦେଇଥିଲେ ।

ଏ ନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଓ ଏହାର ତଦନ୍ତ ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା କରୁଥିବା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏହି ପରିବାର କୁ ସରକାରୀ ସହାୟତା ପ୍ରଦାନ ପାଇଁ ପଚାରିବାରୁ ଏ ସି ଏଫ ଶ୍ରୀ ଧରୁଆ ହାତୀଆକ୍ରମଣରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ପ୍ରଦାନ ପାଇଁ ଯୋଜନା ଥିବାବେଳେ ମୃତ ବ୍ୟକ୍ତି ର ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ସଙ୍ଗେ ସଙ୍ଗେ ଉକ୍ତ ରାଶି ର ଦଶ ପ୍ରତିଶତ ଅର୍ଥାତ୍ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ଓ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ସରକାରୀ ନିୟମ ଅନୁସାରେ ପରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।

ଏହି ଅଞ୍ଚଳ ହାତୀ ଉପଦୃତ ଅଞ୍ଚଳ ହୋଇଥିବାରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ହାତୀ ମାନଙ୍କ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଉପଦ୍ରବ କରୁଥିବା ଏହି ୧୦ ଟିକିଏ ହାତୀ ପଲ ମଧ୍ୟରେ ଗୋଟିଏ ଅଣ୍ଡିରା ହାତୀ ଥିବା ବେଳେ ୬ ଗୋଟି ମାଇଁ ହାତୀ ଓ ୩ ଗୋଟି ଛୋଟ ଛୋଟ ହାତୀ ରହିଥିବା ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

Popular Articles