ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୧/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରାଞ୍ଚଳ ଦେଇ ଉଚ୍ଚ ଶକ୍ତି ସମ୍ପନ୍ନ ୨୨୦କେଭି ବିଦ୍ୟୁତ୍ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
୨୨୦କେଭି ବିଦ୍ୟୁତ ଟାୱାର ନିର୍ମାଣ କାର୍ଯ୍ୟ ସ୍ଥାନାନ୍ତରିତ କରିବା ଦାବି ନେଇ ବିନିକା ସହରବାସୀ ୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ କରିଥିବା ବେଳେ କିଛି ସୁଫଳ ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଉଛି । ସମସ୍ୟା ଜାଣି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆବଶ୍ୟକ ସମାଧାନ ସକାଶେ ଦୃଷ୍ଟି ଦେବାକୁ ପଛଘୁଞ୍ଚା ଦେଉ ଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଏଥିପାଇଁ ଆଜି ବିନିକା ସହରକୁ ଉତ୍ୟକ୍ତ ଜନତା ବନ୍ଦ କରିଥିବା ବେଳେ ପ୍ରଶାସନ ନ ଶୁଣିବାରୁ ଏ ନେଇ ଅଭିଯୋଗକାରୀ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ୨୪ ଘଣ୍ଟା ମଧ୍ୟରେ ଯଦି ବିନିକା ସହରାଞ୍ଚଳରେ ଯୋଜନା ରଖିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାର ନିର୍ମାଣକୁ ପଥକୁ ବ୍ୟତିକ୍ରମ କରି ସହର ବାହାରେ ଟାୱାର ନିର୍ମାଣ କରା ନ ଯାଏ ତାହେଲେ ଏ ନେଇ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବନ୍ଦ ଡାକରା ଯୋଗୁଁ ଆଜି ସକାଳେ ବିନିକା ସହର ସାରା ପ୍ରଶାସନ ତରଫରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆନ୍ଦୋଳନକାରୀଙ୍କୁ ତୀକ୍ଷଣ ନଜର ରଖିଥିବା ବେଳେ ସବୁ ସରକାରୀ ବେସରକାରୀ ଅଫିସ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।
ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ବନ୍ଦ ପାଳନକୁ ଜୋରଦାର କରିଥିଲେ । ଏଥିପାଇଁ ବିନିକା ସହର ସ୍ଥିତ ବ୍ଲକ, ତହସିଲ, କୋର୍ଟ, କଚେରି ସମୂହ ବ୍ୟାଙ୍କ ଆଦି ବନ୍ଦ ହୋଇ ଯାଇଥିଲା । ବନ୍ଦ ପାଳନରେ ଚାଷୀଙ୍କ ସହ କଂଗ୍ରେସ ଦଳର ଯୁବନେତା ପ୍ରଦୀପ ସେଠୀଙ୍କ ସହ ନରେନ୍ଦ୍ର ପଣ୍ଡା, ନରେନ୍ଦ୍ର ସାହୁ, ବସନ୍ତ ସୁବୁଦ୍ଧି, ମନୋଜ କୁମାର ମିଶ୍ର, ମମତାଜ ପଣ୍ଡା, ଓକିଲ ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସନା, ସୁଧୀର ସାମନ୍ତରାୟ, ବିଶେଶ୍ୱର ସେଠୀଙ୍କ ସହ ସହରର ବହୁ ବ୍ୟକ୍ତି ଉପସ୍ଥିତ ରହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଜୋରଦାର କରିଥିଲେ । ଏହାକୁ ସ୍ଥାନାନ୍ତରିତ କରିବାକୁ ପ୍ରଶାସନକୁ ଲିଖିତ ଜଣାଇଥିବା ବେଳେ ଯଦି ୨୪ ଘଣ୍ଟା ମଧ୍ୟରେ ଏହାର କୌଣସି ସମାଧାନ ନହୁଏ କିମ୍ବା ପଥ ବଦଳାଇ ଟାୱାର ନିର୍ମାଣ କରା ନ ଯାଏ ତାହେଲେ ଏହାକୁ ନେଇ ସାଧାରଣରେ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।