୧୮୮ ରନ୍‌ ରେ ବାଂଲାଦେଶକୁ ହରାଇଲା ଭାରତ

0
122
୧୮୮ ରନ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦେଲ୍ହୀ/ଚଟ୍ଟୋଗ୍ରାମ,(୧୮/୧୨) : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ହୋଇଛି ଭାରତ । ବାଂଲାଦେଶକୁ ଦଳ ୧୮୮ ରନ୍‌ ରେ ପରାସ୍ତ କରିଛି ।

୧୮୮ ରନ୍‌ ରେ ବାଂଲାଦେଶକୁ ହରାଇଲା ଭାରତ । ଏହା ସହିତ ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ ରେ ଆଗୁଆ ରହିଛି । ଦୁଇଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିବା କୁଲଦୀପ ଯାଦବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି । ପ୍ରଥମ ଇନିଂସରେ ଏକ ପ୍ରକାର ଆତ୍ମସମର୍ପଣ କରି ଦେଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ କିନ୍ତୁ ଭଲ ଖେଳିଥିଲା ଓ ମ୍ୟାଚ୍‌କୁ ପଞ୍ଚମ ଦିନରେ ପହଞ୍ଚାଇ ଦେଇଥିଲା ।

୫୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ବାଂଲାଦେଶ ଶନିବାର ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା । ଏଥିମଧ୍ୟରେ ରହିଥିଲା ନଜମୁଲ ହୁସେନ ସାଣ୍ଟୋଙ୍କ ୬୭ ରନ୍ ସହିତ ଡେବ୍ୟୁଟାଣ୍ଟ ଜାକିର ହାସନଙ୍କ ୧୦୦ ରନ୍‌ । ବିଜୟ ପାଇଁ ଆଜି ଶେଷ ଦିନରେ ୨୪୧ ରନ୍ କରିବାକୁ ଥିଲା । ତେବେ ଦଳ ପାଖରେ ଆଉ ୪ଟି ୱିକେଟ୍ ଥିଲା । କିନ୍ତୁ କ୍ରିଜ୍‌ରେ ଅଧିନାୟକ ସାକିବ ଅଲ୍ ହାସନ ଓ ଇନ୍‌ ଫର୍ମ ମେହଦୀ ହାସନ ମିରଜା ଥିବାରୁ ମ୍ୟାଚ୍‌ର ମୋଡ଼ ବଦଳିପାରେ ବୋଲି କୁହାଯାଉଥିଲ ।

ହେଲେ ଭାରତୀୟ ବୋଲର ତାହା ହେବାକୁ ଦେଲେ ନାହିଁ । ପଞ୍ଚମ ଦିନରେ ବାଂଲାଦେଶ ମାତ୍ର ୧୧.୨ ଓଭର ଖେଳିବାକୁ ସମର୍ଥ ହୋଇଥିଲା ବେଳେ ଏଥିରୁ ୫୨ ରନ୍ ସଂଗ୍ରହ କରିଥିଲା । ଗତକାଲି ସାକିବ ଓ ମିରଜା ଯଥାକ୍ରମେ ୪୦ ଓ ୯ ରନ୍ କରି ଅପରାଜିତ ରହିଥିଲେ । ଆଜି ମିରଜା ତାଙ୍କ ଖାତାରେ ଆଉ ମାତ୍ର ୪ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲେ । ସେ ୪୮ଟି ବଲ୍‌ରେ ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ମହମ୍ମଦ ସିରାଜଙ୍କ ବଲରେ ଉମେଶ ଯାଦବଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ଅନ୍ୟପକ୍ଷରେ ଅଧିନାୟକ ସାକିବ ଅଲ୍ ହାସନ ଭଲ ଖେଳିଥିଲେ ।

ସେ ଆହୁରି ୪୪ ରନ୍ କରିଥିଲେ । ୧୦୮ଟି ବଲ୍‌ରୁ ୮୪ ରନ୍ କରିଥିବା ବେଳେ ସେ କୁଲଦିପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ସେ ୬ଟି ଚୌକା ଓ ୬ଟି ଛକା ମାରିଥିଲେ । ଦଳୀୟ ସ୍କୋର ୩୨୦ରେ ପହଞ୍ଚିଥିବା ବେଳେ ସେ ଆଉଟ୍ ହୋଇଥିଲେ । ଏହା ପରେ ଆଉ ମାତ୍ର ୪ ରନ୍‌ରେ ଦଳ ଆଉ ଦୁଇଟି ୱିକେଟ୍ ହରାଇ ମ୍ୟାଚ୍ ହାରି ଯାଇଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୩ ଓ ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତ ପ୍ରଥମ ଇନିଂସରେ ୪୦୪ ରନ୍ କରି ଅଲ୍ ଆଉଟ୍ ହୋଇଥିବା ବେଳେ ବାଂଲାଦେଶ ୧୫୦ ରନ୍ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୨ ୱିକେଟ୍ ହରାଇ ୨୫୮ ରନ୍‌ କରିଥିବା ବେଳେ ପାଳି ଘୋଷଣା କରିଥିଲା । ଭାରତ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ ୩୨୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟସ୍ଥ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ରୁ ମୀରପୁରରେ ଖେଳାଯିବ ।