ଫିଫା ବିଶ୍ୱକପ୍ ଫାଇନାଲ ଲଢ଼େଇ, ଆଜି ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ

0
110
ଫିଫା ବିଶ୍ୱକପ୍ ଫାଇନାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୮/୧୨) : ଆଜି ହେଉଛି ଫିଫା ବିଶ୍ୱକପ୍‌ ଫାଇନାଲ ମୁକାବିଲା । ରାତି ସାଢ଼େ ୮ଟାରେ କତାରର ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ । 

ଫିଫା ବିଶ୍ୱକପ୍ ଫାଇନାଲ ଲଢ଼େଇ ରେ ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ । ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି ଲେଖାଏଁ ବିଶ୍ୱକପ ଜିତିଥିବା ବେଳେ ଦୁଇ ଦଳ ତୃତିୟ ଟାଇଟଲ ହାତେଇବା ଲକ୍ଷ୍ୟରେ ଲଢ଼େଇ କରିବେ । ଏହି ମ୍ୟାଚ୍‌ରେ ମେସି ଓ ଏମ୍‌ବାପେ ମୁଖ୍ୟ ଆକର୍ଷଣରେ ରହିବେ। ଉଭୟ ୫ଟି ଲେଖାଏଁ ଗୋଲ୍ ଦେଇ ଗୋଲ୍‌ଡେନ୍ ବୁଟ୍ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି । ତେବେ ଆର୍ଜେଣ୍ଟିନାର ଲିଓନେଲ ମେସି ଏହି ଫାଇନାଲମ୍ୟାଚ ପରେ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି । ଏହା ତାଙ୍କର ଶେଷ ବିଶ୍ୱକପ ହୋଇଥିବାରୁ ଆର୍ଜେଣ୍ଟିନା ଜିତିବାକୁ ଚେଷ୍ଟା କରିବ ।

ସେହିପରି ଗତ ଥରର ଚାମ୍ପିୟନ ଫ୍ରାନ୍ସ ଏଥର ପୁଣି ବାଜିମାତ କରିବାକୁ ରଣନୀତି ପ୍ରସ୍ତୁତି କରିଛି । ଲିଗ ମ୍ୟାଚରୁ ଦୁଇଟି ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ଫାଇନାଲକୁ ଆସିଛନ୍ତି । ଆର୍ଜେଣ୍ଟିନାକୁ ସାଉଦି ଆରବ ୨-୧ ଗୋଲ୍‌ରେ ଏବଂ ଫ୍ରାନ୍ସକୁ ଟ୍ୟୁନିସିଆ ୧-୦ ଗୋଲ୍‌ରେ ହରାଇଥିଲା । ଏହାବାଦ୍ ଆର୍ଜେଣ୍ଟିନା ଚଳିତ ବିଶ୍ୱକପ୍‌ରେ ମେକ୍ସିକୋ, ପୋଲାଣ୍ଡ ସହିତ ଗ୍ରୁପ୍ ପର୍ଯ୍ୟାୟ, ପ୍ରିକ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ, କ୍ୱାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ ଓ ସେମି ଫାଇନାଲ୍‌ରେ କ୍ରୋଏସିଆକୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି ।

ସେହିପରି ଫ୍ରାନ୍ସ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ଡେନମାର୍କ, ପ୍ରିକ୍ୱାର୍ଟର ଫାଇନାଲ୍‌ରେ ପୋଲାଣ୍ଡ, କ୍ୱାର୍ଟର ର ଫାଇନାଲ୍‌ରେ ଇଂଲଣ୍ଡ ଓ ସେମି ଫାଇନାଲ୍‌ରେ ମରକ୍କୋକୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ୧୨ ଥର ମୁକାବିଲା ହୋଇଥିବା ବେଳେ ଆର୍ଜେଣ୍ଟିନା ୬ ଥର ଏବଂ ଫ୍ରାନ୍ସ ୩ ଥର ବିଜୟୀ ହୋଇଛି । ଫିଫା ବିଶ୍ୱକପରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବା ବେଳେ ଆର୍ଜେଣ୍ଟିନା ଦୁଇ ଥର ଜିତିଛି ।