ଶିମିଳିପାଳରେ ହାତୀ କୁ ପୋଡ଼ି ଦେବା ଘଟଣା : ବନ୍ଧା ହେଲେ ୩ ବନ କର୍ମଚାରୀ

0
108
ଶିମିଳିପାଳରେ ହାତୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାରିପଦା, (୧୪/୧୨) : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀ କୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବନ ବିଭାଗ ।

ଶିମିଳିପାଳରେ ହାତୀ କୁ ପୋଡ଼ି ଦେବା ଘଟଣା କୁ ନେଇ ନିଲମ୍ବିତ ବନ କର୍ମଚାରୀଙ୍କୁ ଆଜି ଗିରଫ କରିଛି ବନ ବିଭାଗ । ସେମାନେ ହେଲେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ । ଏହି ୩ ଜଣଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ଗତ ୧୦ ତାରିଖରେ ଶିମିଳିପାଳ ର ନଅଣା ରେଞ୍ଜରୁ ଏକ ହାତୀର ଜୀବାଶ୍ମ ଉଦ୍ଧାର ହୋଇଥିଲା । ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବା ଏହି ଦନ୍ତାକୁ ଅଭିଯୁକ୍ତ ବନ କର୍ମଚାରୀ ମାନେ ପୋଡ଼ି ହାଡ଼ ଆଦିକୁ ନଦୀରେ ଭସାଇ ଦେଇଥିଲେ । ଏହା ପ୍ରାୟ ମାସେ ପୂର୍ବର ଘଟଣା ହୋଇଥିବା ବେଳେ ଗତ ୧୦ ତାରିଖରେ ଏହା ଲୋକଲୋଚନକୁ ଆସିଥିଲା ।

ଏହି ଘଟଣାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶିମିଳିପାଳ ଆରସିସିଏଫ ଟି. ଅଶୋକ କୁମାର । ଏହି ଘଟଣାରେ ୩ ବନ କର୍ମଚାରୀ ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡ଼ିଥିବା ବେଳେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ସେମାନେ ମୃତ ହାତୀକୁ ପୋଡ଼ିଥିଲେ ବୋଲି ସ୍ୱୀକାର କରିଥିଲେ । କିନ୍ତୁ ହାତୀକୁ ମାରି ନଥିବା କହିଥିଲେ ।

ତେବେ ହାଇକୋର୍ଟ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଗତକାଲି ନିଜ ଆଡ଼ୁ ଏହାର ଶୁଣାଣି କରିଥିଲେ । ଏଥିରେ ତିନି ଜଣ ବନ କର୍ମଚାରୀଙ୍କ ସଂପୃକ୍ତି ନେଇ ପିସିସିଏଫ ହାଇକୋର୍ଟରେ ସ୍ୱୀକାର କରିଥିବା ବେଳେ ସେମାନଙ୍କ ବିରୋଧରେ କ’ଣ ପାଇଁ ମାମଲା ରୁଜ୍ଜୁ ହୋଇ ନାହିଁ ବୋଲି କୋର୍ଟ ପଚାରିଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ବେଳେ ପିସିସିଏଫଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହି ଘଟଣା ପ୍ରଘଟ ହେବା ପରେ ଶିମିଳିପାଳରୁ ହାତୀର କିଛି ଜୀବାଶ୍ମ ସଂଗ୍ରହର କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଓୟୁଏଟିକୁ ପଠାଯାଇଥିଲା । ପରୀକ୍ଷା ପରେ ତାହା ହାତୀର ଜୀବାଶ୍ମ ବୋଲି ସ୍ପଷ୍ଟ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ, ଶିମିଳିପାଳରେ ପୂର୍ବରୁ ବି ଦାନ୍ତ ପାଇଁ ଦନ୍ତା ଶିକାର ହୋଇଥିଲା । ୨୦୧୦ରେ ୧୦ଟି ଦନ୍ତାକୁ ପୋଡ଼ି ଦିଆଯାଇଥିବା ବେଳେ ୨୦୧୨ରେ ୮ଟି ଦନ୍ତାଙ୍କ ହତ୍ୟା ହୋଇଥିବା ଜଣାପଡ଼ିଥିଲା । ଏପରି ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଖୁବ୍‌ଶୀଘ୍ର ଶିମିଳିପାଳ ରୁ ଦନ୍ତା ବଂଶ ଲୋପ ପାଇଯିବେ ବୋଲି ପରିବେଶବିତ କହିଛନ୍ତି ।