କୁହୁଡ଼ି ହେଲା କାଳ : ନଦୀ ବନ୍ଧରୁ ଓଲଟିଲା ବୋଲେରୋ

0
113
କୁହୁଡ଼ି ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୩/୧୨) : ଘନ କୁହୁଡ଼ି ହେଲା କାଳ । ଦେଖାଗଲାନି ରାସ୍ତା । ନଦୀ ବନ୍ଧରୁ ଭାରସାମ୍ୟ ହରାଇ ତଳକୁ ଖସି ଓଲଟି ପଡ଼ିଲା ବୋଲେରୋ ।

ଘନ କୁହୁଡ଼ି ହେଲା କାଳ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଗୁରୁତର ସମସ୍ତଙ୍କ ଘର କଟକରେ ବୋଲି ସୂଚନା ମିଳିଛି । ଗତକାଲି କଟକରୁ ୭/୮ ଜଣ ଏକ ବୋଲେରୋରେ ଜଗତସିଂହପୁର ସ୍ଥିତ ମା’ ଶାରଳା ଓ ଗୋରେଖନାଥଙ୍କ ଦର୍ଶନ ନିମନ୍ତେ ଯାଇଥିଲେ ।

ମା’ଙ୍କ ଦର୍ଶନ ପରେ ରାତିରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋଶଲଠାରେ ଜଣେ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିରେ ସେମାନେ ଯୋଗ ଦେଇଥିଲେ । ସେଠାରୁ ବିଳମ୍ବିତ ରାତିରେ କଟକ ଫେରିଲା ବେଳେ ଘନ କୁହୁଡି ହୋଇଥିବାରୁ ରାସ୍ତା ଜାଣି ପାରି ନ ଥିଲେ ଡ୍ରାଇଭର । ଫଳରେ ଓଳଗଦା ନିକଟରେ ଗାଡିଟି ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଖସି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି ।

ଖବର ପାଇ ତିର୍ତ୍ତୋଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ପ୍ରଥମେ ମଣିଜଙ୍ଘା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ଜବତ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।