ପିକ୍‌ନିକ୍ ହେଲା କାଳ : ଓଲଟିଲା ପିକ୍‌ନିକ୍ ବସ୍‌,୨ ଛାତ୍ର ମୃତ

0
135
ପିକ୍‌ନିକ୍

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୧୨/୧୨) : ପିକ୍‌ନିକ୍ ହେଲା କାଳ । ଓଲଟିଲା ପିକ୍‌ନିକ୍ ବସ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ।

ରବିବାର ବିଳମ୍ବିତ ରାତିରେ ଖୋପୋଲି ନିକଟ ଏକ ପାହାଡିଆ ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍‌ନିକ୍ ବସ୍ ଓଲଟିପଡିଛି । ଏଥିରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୭ ଜଣ ଆହତ ହୋଇଛନ୍ତି । ବ୍ରେକ୍ ଫେଲ୍ ହେବା ଯୋଗୁଁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଏହାପରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି ।

ପୁଲିସ ସୂଚନା ମୁତାବକ, ରବିବାର ରାତି ପ୍ରାୟ ୮ ଟା ବେଳେ ଲୋନାବ୍‌ଲା ହିଲ୍ ଷ୍ଟେସନ ଠାରୁ ପ୍ରାୟ ୧୪ କିଲୋମିଟର ଦୂର ପୁରୁଣା ମୁମ୍ବାଇ-ପୁଣେ ଜାତୀୟ ରାଜପଥର ମ୍ୟାଜିକ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘରୋଇ ବସ୍‌ରେ ଚେମ୍ବୁର ସ୍ଥିତ କୋଚିଂ ସେଣ୍ଟର ର ୪୯ ଛାତ୍ରଛାତ୍ରୀ ଥିଲେ । ସମସ୍ତ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀ ର ଥିବା ଜଣାପଡିଛି ।

ଏହି ଦୁର୍ଘଟଣାରେ ସବୁ ଛାତ୍ରଛାତ୍ରୀଙ୍କ ସମେତ ବସ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଲୋନାବଲା ଓ ଖୋପୋଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମୃତ ଦୁଇ ଛାତ୍ରଙ୍କ ବୟସ ୧୭ ଓ ୧୬ ବର୍ଷ ଥିବା ଜଣାପଡିଛି । ପୁଲିସ ପ୍ରାଥମିକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।