ଆନ୍ଦୋଳନ ବେଳେ ଛୁଟି ନେଇଥିବା ଶିକ୍ଷକଙ୍କର ମାଗିଲେ ତାଲିକା : ସରକାରଙ୍କ ନାଲି ଆଖି !

0
102
ଆନ୍ଦୋଳନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୧୨) : ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱରରେ ଅନୁଷ୍ଠିତ ରାଲିରେ ଯୋଗ ଦେବା ପାଇଁ କେଉଁ ଶିକ୍ଷକ ମାନେ ନଭେମ୍ବର ୨୮ ରୁ ୩୦ ତାରିଖ ଯାଏଁ ଛୁଟି ଆବେଦନ କରିଥିଲେ, ଦରମା ରିଲିଜ୍ ପୂର୍ବରୁ ସେମାନଙ୍କ ତାଲିକା ଦେବାକୁ ଚିଠିରେ କୁହାଯାଇଛି । ଏତେ ସଂଖ୍ୟକ ଶିକ୍ଷକଙ୍କୁ ଏକକାଳୀନ ଛୁଟି ଦିଆଯାଇପାରିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି । କେବଳ ଫୁଲବାଣୀ ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏଭଳି ଚିଠି ହୋଇଥିବା ସୂଚନା ମିଳିଛି । ଯଦି ଏଭଳି ଚିଠି କରି ସରକାର ଶିକ୍ଷକଙ୍କୁ ଡରାଇବାକୁ ଚାହୁଁଥାନ୍ତି, ତା’ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ।

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ଗୋଟିଏ ପଟେ ସରକାର କମିଟି ଗଠନ କରୁଛନ୍ତି, ଅନ୍ୟପଟେ ଆମକୁ ଧମକ ଦେଉଛନ୍ତି । ମୁଁ ଏହାକୁ ତ୍ରୀବ ନିନ୍ଦା କରୁଛି । ଯେଉଁ ଶିକ୍ଷକମାନେ ଆନ୍ଦୋଳନକୁ ଯାଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ତା’ର ଉଚିତ୍ ଜବାବ ସରକାରଙ୍କୁ ଦେବ । ଆଗାମୀ ଦିନରେ ଆନ୍ଦୋଳନ ତ୍ରୀବତର ହେବ ।

ଅନ୍ୟପକ୍ଷରେ ଫୁଲବାଣୀ ବିଇଓ ରଞ୍ଜନ କୁମାର କହଁର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଛୁଟିରେ ଯାଇଥିବା ଶିକ୍ଷକ ମାନଙ୍କୁ ସିଏଲ୍ କି ଇଏଲ୍ ଦିଆଯିବ, ସେଥିଲାଗି ରିପୋର୍ଟ ମଗାଯାଇଥିଲା । ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ରାଜଧାନୀର ଲୋୟର ପିଏମଜିରେ ନଭେମ୍ବର ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନରେ ବସିଥିଲେ । ୩ ଦିନ ଧରି ଆନ୍ଦୋଳନରେ ବସିବା ପରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ।