Thursday, March 28, 2024

Top 5 This Week

Related Posts

ବାତ୍ୟା ମାଣ୍ଡୋସ : ଭାଙ୍ଗିଲା ଗଛ, ଛେଚିଲା ବର୍ଷା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଚେନ୍ନାଇ, (୧୦/୧୨) : ଭୀଷଣ ବାତ୍ୟା ର ରୂପ ନେଇ ମାଣ୍ଡୋସ ଶୁକ୍ରବାର ରାତିରେ ତାମିଲନାଡୁର ମାମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି ।

ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୫ କିମି ରହିଥିଲା । ଏଥିସହ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଦୀର୍ଘ ଘଣ୍ଟା ଧରି ଚାଲିଥିବା ବେଳେ ମାମଲାପୁରମ ଓ ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏକାଧିକ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ଫ୍ଲାଶଫ୍ଲଡ ବା ଅଚାନକ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସମୁଦ୍ର କୂଳରେ ଥିବା ଏକାଧିକ ଘର ଓ ଦୋକାନ ମଧ୍ୟ ବାତ୍ୟା ଯୋଗୁଁ ଭାଙ୍ଗି ଯାଇଛି ।

ବାତ୍ୟା ମାଣ୍ଡୋସ ଲ୍ୟାଣ୍ତଫଲ କରିବା ପରେ ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାରେ ରହିଛି । ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ମାଣ୍ଡୋସ ରାତି ପ୍ରାୟ ୧୧.୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଥିଲା । ତାମିଲନାଡୁର ମାମଲାପୁରମ(ମହାବଳୀପୁରମ) ଉପକୂଳ ଦେଇ ଏହା ରାତି ପ୍ରାୟ ୧.୩୦ରେ ସ୍ଥଳ ଭାଗକୁ ସଂପୂର୍ଣ୍ଣ ଭାବେ ଅତିକ୍ରମ କରିଥିଲା । ଏହାର ଅର୍ଥ ୨ ଘଣ୍ଟା ଧରି ବାତ୍ୟା ସ୍ଥଳ ଭାଗରେ ରହିଥିଲା ।

ବାତ୍ୟା ଯୋଗୁ ଚେଙ୍ଗାଲପାଟ୍ଟୁ ଓ ପଡ଼ୋଶୀ ଚେନ୍ନାଇରେ ଶତାଧିକ ଗଛ ଏବଂ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି । ଗ୍ରେଟର ଚେନ୍ନାଇ କର୍ପୋରେସନର କମିଶନର ଗଗନଦୀପ ସିଂହ କହିଛନ୍ତି, ଏଯାଏ ଚେନ୍ନାଇରେ ୧୧୫ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରାୟ ୨୦୦ ଗଛ ବିଭିନ୍ନ ସ୍ଥାନରେ ଭାଙ୍ଗିଥିବା ବେଳେ ରାତି ଠାରୁ ହିଁ ଏଗୁଡ଼ିକ ହଟାଇବାକୁ ଉଦ୍ୟମ ଜାରି ରହିଛି । ବାତ୍ୟା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଆମେ ରାସ୍ତା କଡ଼ରେ ଲାଗିଥିବା ହୋର୍ଡିଂ ଗୁଡ଼ିକୁ କାଢ଼ି ଦେଇଥିଲୁ। ଫଳରେ ବିଶେଷ କିଛି କ୍ଷୟକ୍ଷତି ହୋଇନି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ସେ କହିଛନ୍ତି ।

ଚେଙ୍ଗାଲପାଟ୍ଟୁରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଥିବାରୁ ଲୋକମାନେ ପାୱର କଟର ସମସ୍ୟାରେ ପଡ଼ିଛନ୍ତି । ମାମଲାପୁରମକୁ ଲାଗି ରହିଥିବା କୋଭାଲାମରେ ଶତାଧିକ ମତ୍ସ୍ୟଜୀବୀଙ୍କ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି । କିଛି ଡଙ୍ଗା କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଆଉ କିଛି ପାଣିରେ ଭାସି ଯାଇଛି । ସେହିପରି ସମୁଦ୍ରକୂଳରେ ଥିବା ଦୋକାନ ଓ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

କୋଭାଲମ ଗ୍ରାମ ପଞ୍ଚାୟତର ସଭାପତି ଶୋଭନା ଥାଙ୍ଗମ କହିଛନ୍ତି, “ପବନ ଯୋଗୁଁ ଦୋକାନଗୁଡ଼ିକ ଉପରେ ଥିବା ଟିଣ ଛପର ଉଡ଼ି ଯାଇଛି । ଏଥିଯୋଗୁଁ ଦୋକାନ ଭିତରେ ଥିବା ଜିନିଷପତ୍ର ମଧ୍ୟ କ୍ଷତି ହୋଇଛି । ଅନେକ ଲୋକଙ୍କ ଡଙ୍ଗା ଭାଙ୍ଗି ଯାଇଛି । ସରକାରୀ ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରୁଛନ୍ତି ।” ଏହା ପୂର୍ବରୁ ବାତ୍ୟା ଯୋଗୁଁ ଚେନ୍ନାଇ ଆସିବାକୁ କିମ୍ବା ଏଠାରୁ ଅନ୍ୟତ୍ର ଯିବାକୁ ଥିବା ୧୩ ଟି ଘରୋଇ ଓ ୩ ଟି ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଥିଲା ।

Popular Articles