ବିଦ୍ୟାଳୟ ପାଇଖାନା ଟାଙ୍କିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ୩ଜଣ ଅଟକ

କୋଲନରା(୧୧/୧୧): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତୀଖମ୍ବା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଇଖାନା ଟାଙ୍କିରୁ ତିନିଦିନ ଧରି ନିଖୋଜ ଥିବା ହାତୀଖମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ଏବଂ ଘଟଣାରେ ୩ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ହାତୀଖମ୍ବା ଗ୍ରାମର ଉଦାଲା ରାଜାରାଓ (୫୨) ଓ ସ୍ତ୍ରୀ ପାର୍ବତୀ ଉଦାଲା ଘରେ ଖାଉଥିବା ସମୟରେ ଉକ୍ତ ଗ୍ରାମର ମହେନ୍ଦ୍ର ମାଣ୍ଡାଲା (୨୨) ଓ ମାଧବ କାଡ୍ରାକା (୨୨) ମୃତ ଉଦାଲାଙ୍କ ଘରକୁ ଯାଇ ବାହାରକୁ ଡାକି ନେଇଯାଇଥିଲେ ହେଲେ ବିଳମ୍ବିତ ରାତ୍ରରେ ମହେନ୍ଦ୍ର ଓ ମାଧବ ଫେରିଥିଲେ । କିନ୍ତୁ ଉଦାଲା ଫେରି ନଥିଲେ । ତାହା ଦେଖି ଉଦାଲାଙ୍କ ପତ୍ନୀ ବ୍ୟସ୍ତ ହୋଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଫେରିଆସିଲେ ବୋଲି ଅଭିଯୁକ୍ତ ମାନେ କହିଥିଲେ । ହେଲେ ତା ପରଦିନ ସକାଳୁ ମଧ୍ୟ ବହୁ ଖୋଜାଖୋଜି କରିଲା ପରେ ମଧ୍ୟ ମୃତ ଉଦାଲାଙ୍କ କୌଣସି ଖୋଜ ଖବର ମିଳି ନ ଥିଲା ଏବଂ ମୃତ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ହେଲେ ଆଜି ସକାଳୁ ଖୋଜାଖୋଜି କରିବା ସମୟରେ ହାତୀଖମ୍ବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଇଖାନା ଟାଙ୍କି ପାଖରେ ବହୁତ ଦୁର୍ଗନ୍ଧ ହେଉଥିବା ଜାଣିପାରି ପ୍ରଥମେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରିଙ୍କୁ ଖବର ଦେଇଥିଲେ । ସରପଞ୍ଚ ଆସିଲା ପରେ ପାଇଖାନା ଟାଙ୍କିର ପ୍ଲେଟକୁ କାଢି ଦେଖିଲା ବେଳକୁ ଉଦାଲାଙ୍କ ମୃତ ଦେହ ଭିତରେ ଥିବା ଦେଖିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ମୁକୁନ୍ଦପୁର ଫାଣ୍ଡି ଓ ଚାନ୍ଦିଲି ଥାନାରେ ଖବର ଦେଇଥିଲେ । ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ଓ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ମହେନ୍ଦ୍ର ମାଣ୍ଡାଲା, ମାଧବ କାଡ୍ରାକା ଓ ରାଜେନ୍ଦ୍ର ପାଲାକାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରିଛି ଏବଂ ମୃତ ଦେହକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଉଦାଲାଙ୍କ ମୃତ୍ୟୁପରେ ହାତୀଖମ୍ବା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ: ଗୋପୀନାଥ କୋଂଡଗିରି

Comments are closed.