Friday, March 29, 2024

Top 5 This Week

Related Posts

ଓଲଟି ପଡିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର : ୬ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆନ୍ଧ୍ରପ୍ରଦେଶ/ଅମରାବତୀ, (୦୯/୧୨) : ଓଲଟି ପଡିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର। ଫଳରେ ଘଟଣା ସ୍ଥଳରେ ହିଁ ଚାଲିଗଲା ୬ ଜଣଙ୍କ ଜୀବନ । ଏଥିସହ ଅନ୍ୟ ୨୦ ଜଣ ମଧ୍ୟ ଆହତ ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ର ଚିତ୍ତୋର୍‌ରେ ।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଇରାଲ ମଣ୍ଡଳର ବଲିଜାପଲ୍ଲେ ଗାଁ’ରୁ ଆରମ୍ଭ ହୋଇଥିଲା ବରଯାତ୍ରୀ । ଟ୍ରାକ୍ଟରରେ ବସି ଝିଅ ଘର ଆଡକୁ ବରଯାତ୍ରୀ ଯାଉଥିଲେ । ଏମାନେ ଗୁରୁବାର ସକାଳେ ଜେଟ୍ଟିପଲ୍ଲେ ଗାଁ’ରେ ହେବାକୁ ଥିବା ବିବାହରେ ସାମିଲ ହୋଇଥାନ୍ତେ । କିନ୍ତୁ ଅଧବାଟରେ ହିଁ ବରଯାତ୍ରୀଙ୍କୁ ନେଇ ଆସୁଥିବା ଟ୍ରାକ୍ଟରଟି ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇଥିଲା ଓ ରାସ୍ତାକଡକୁ ଓଲଟି ପଡିଲା ।

ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଟ୍ରାକ୍ଟର ଚାଳକ, ଦୁଇ ଜଣ ମହିଳା ଓ କିଛି ପିଲା ଅଛନ୍ତି । ସେପଟେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିତ୍ତୋର, ବେଲ୍ଲୁର ଓ ତିରୁପତି ହସ୍ପିଟାଲରେ ଭର୍ତ୍ତି କରିଛି । ଆହତଙ୍କ ମଧ୍ୟରେ ବିବାହ କରିବାକୁ ଯାଉଥିବା ବର ହେମନ୍ତ କୁମାର ମଧ୍ୟ ସାମିଲ ଅଛନ୍ତି । ହେମନ୍ତ କୁମାରଙ୍କ ବିବାହ ଜେଟ୍ଟିପଲ୍ଲେ ଗାଁ’ର ଭୁବନେଶ୍ୱରୀଙ୍କ ସହ ଗୁରୁବାର ଦିନ ହୋଇଥାନ୍ତା । କିନ୍ତୁ ଏହା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ବର । ଉକ୍ତ ଟ୍ରାକ୍ଟରରେ ମୋଟ ୨୬ ଜଣ ଯାତ୍ରୀ ଥିଲେ ।

Popular Articles