ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୯/୧୧/୧୯): ପୁଣ୍ୟ ଓ ପବିତ୍ର ଏହି କାର୍ତିକ ମାସ, ଗାଁ ରୁ ସହର ସବୁଠି ଦେଖିବାକୁ ମିଳେ ଭଗବାନଙ୍କ ନାମ ଭଜନ କୀର୍ତ୍ତନ ସହ ଭାଗବତ ପଠନ । ସେହିଭଳି ରାମନାଗୁଡା ବ୍ଲକ ଲିମାପଦର ସୀତାରାମ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ଶୁକ୍ଳ ଷଷ୍ଠୀ ଠାରୁ ଦ୍ଵାଦଶୀ ପର୍ଯ୍ୟନ୍ତ ଏହି ପାରାୟଣ ଚାଲୁ ରହିଥିବା ଆୟୋଜକ କମିଟି ତରଫରୁ ସୂଚନା ମିଳିଛି ।

ଏହି ପରମ୍ପରା ଦୀର୍ଘ ୫୦ ରୁ ଉର୍ଦ୍ଧ୍ବ ବର୍ଷ ହେଲା ଚାଲିଆସୁଛି ,ଏହି ଅବସରରେ ପୁରୀରୁ ଆସିଥିବା ପଣ୍ଡିତ ଶ୍ରୀ ରମେଶ ଚନ୍ଦ୍ର ରଥଙ୍କ ଦ୍ଵାରା ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ ସହ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ପବିତ୍ର ବଡ଼ଏକାଦଶୀ ତିଥିରେ ସପ୍ତଋଷିଙ୍କ ଉଦ୍ୟେଶରେ ତଥା ବିଶ୍ୱ କଲ୍ୟାଣ ନିମନ୍ତେ ମାନସିକଧାରୀଙ୍କ ଦ୍ଵାରା ସପ୍ତଦ୍ୱୀପ ଧାରଣ । ଏହି ସପ୍ତଦ୍ୱୀପ ଧାରଣ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ଠାରେ ହିଁ ଦେଖିବାକୁ ମିଳିଥାଏ ବୋଲି ଭାଗବତ ଟୁଙ୍ଗି ମୁଖ୍ୟ ପ୍ରପନ୍ନ ତ୍ରିପାଠୀ ମତ ଦେଇଥିଲେ । ପବିତ୍ର ଦ୍ଵାଦଶୀ ତିଥିରେ ପାରାୟଣ ସଂପନ୍ନ ସହ ବିଷ୍ଣୁ ସହସ୍ରନାମ ପାଠ,ଗୀତା ଯଜ୍ଞ ଏବଂ ବ୍ୟାସପୂଜନ ସହ ପ୍ରସାଦ ସେବନ କରାଯାଇଥିଲା । ଭାଗବତ ପ୍ରବଚନରେ ଶ୍ରୀକୃଷ୍ଣ ଜନ୍ମ,ନନ୍ଦଉତ୍ସବ ଭଜନ କୀର୍ତ୍ତନ ସହ ବହୁ ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜକ କମିଟିର ସଦସ୍ୟ ସଦାଶିବ ପଣ୍ଡା, ପ୍ରପନ୍ନ ତ୍ରିପାଠୀ, ପ୍ରମୋଦ ତ୍ରିପାଠୀ, ଅରବିନ୍ଦ ତ୍ରିପାଠୀ, ଅଶ୍ୱିନୀ ତ୍ରିପାଠୀ,ସୁବାସ ପଣ୍ଡା ,ଚିନ୍ମୟ ପଣ୍ଡା, ହୃଷିକେଶ ପଣ୍ଡା ,ଚକ୍ରପାଣି ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.