ଭଙ୍ଗା ଦଦରା କୁଡିଆ ଘରେ ପଲିଥିନ ଭରଷାରେ,ଆବାସ ଯୋଜନା ରୂପାୟନ ହୋଇ ପାରୁନି

0
119
ଭଙ୍ଗା ଦଦରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ବିନିକା, (୦୭/୧୨) : ଚଳିତ ୨୦୨୨ ବର୍ଷ ଶେଷସୁଦ୍ଧା କେହି ଆଉ ଝାଟି ମାଟି ଘରେ ରହିବେ ନାହିଁ ଗରିବ ଶ୍ରେଣୀର ସବୁ ପରିବାରକୁ ପକ୍କା ଘର ମିଳିବ ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେବି ବହୁ ଗରିବ ଶ୍ରେଣୀର ପରିବାର ଆବାସ କି ବିଜୁ ପକ୍କାଘର ନପାଇ ଭଙ୍ଗା ଦଦରା ଘରେ ଦୁର୍ଦ୍ଦିନ ଅବସ୍ଥାରେ ପରିବାର ସହ ଜୀବନ କାଟୁଛନ୍ତି । ଏହିଭଳି କ୍ଷେତ୍ରରେ ଦୀର୍ଘ ବର୍ଷ ହେଲା ପଲିଥିନ ତଳେ ଆକାଶ ଦିଶୁଥିବା ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଏକ ଗରିବ ପରିବାର, ଯାହାଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ସାତ ସପନ ପାଲଟିଛି ବିନିକା ବ୍ଳକ ଅନ୍ତର୍ଗତ ସିଲାଟି ଗ୍ରାମରେ ।

ଖବର ନେବାରୁ ଜଣାପଡିଛି ଯେ ସିଲାଟି ଗ୍ରାମ ଶେଷ ମୁଣ୍ଡ ହାଇସ୍କୁଲ ପାଖରେ ରହନ୍ତି ଶୁକଦେବ ପଧାନ ଓ ତାଙ୍କ ପରିବାର । ରହୁଥିବା ମାଟି ଘରଟି ଦୀର୍ଘ ବର୍ଷ ତଳୁ ଲଗାଣ ବର୍ଷାରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ଦିନ ମଜୁରୀ ଓ ମୁଳ ଲାଗି ପେଟ ପୋଷୁଥିବା ଏଇ ପରିବାରର ଜୀବନ ତାଳପତ୍ର ଓ ପଲିଥିନ ଭରସାରେ । ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ପ୍ରଶାସନ ତଥା ଜନପ୍ରତିନିଧିଙ୍କ ନିକଟରେ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରୀ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡିଏ ମିଳିପାରି ନାହିଁ ।ଫଳରେ ଦୀର୍ଘ ବର୍ଷ ଧରି ଶୁକଦେବଙ୍କ ପରିବାର ଗାଁ ଠାରୁ ଦୁରରେ ଏକ ଝାଟିମାଟି ତାଳପତ୍ର ଓ ପଲିଥିନ କୁଡିଆରେ ରହି ଜୀବନ ବିତାଉଛନ୍ତି ।

ଅନ୍ୟ ପକ୍ଷରେ ବିଦ୍ୟୁତ ସଂଯୋଗ ଓ ସ୍ୱଚ୍ଛ ଭାରତ ଯୋଜନାରୁ ଶୌଚାଳୟ ତିଆରି ହୋଇସାରିଛି । ଝାଟିମାଟି ଘରେ ଦୁର୍ବିସହ ଜୀବନ ବିତାଉଥିବା ଉକ୍ତ ପରିବାର ଖାଦ୍ୟ ସୁରକ୍ଷା ଆଇନ ବଳରେ ଏକ ରାସନ କାର୍ଡ ଅଛି ସେଥିରେ ୯ ଜଣଙ୍କ ନାମ ରହିଥିଲେ ହେଁ ମାତ୍ର ପଞ୍ଚାୟତ ଯୋଗାଣ ଅଧକାରୀ କେବେଳ ୧୦ କେଜି ଚାଉଳ ଦେଉଥିବା ଉଲ୍ଲେଖ ହୋଇଛି । ତେବେ ବାକି ଲୋକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀ କେଉଁଠି ବାଟମାରଣା ହେଉଛି ତାହା ଜିଲ୍ଲା ପ୍ରଶାସନ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି ।

ଉଲ୍ଲେଖ ଥାଉକି ସିଳାଟି ଗାଁ’ରେ ପୂର୍ବରୁ ଅନେକ ସ୍ୱଚ୍ଛଳ ବର୍ଗର ବ୍ୟକ୍ତି ଚଞ୍ଚକତା କରି ସରକାରୀ ଆବାସ ହାତେଇ ନେଇଥିବା ଅଭିଯୋଗ ହେଉଥିବା ବେଳେ ଜଣେ ଗରିବ ଅସହାୟ ପରିବାର ଝାଟିମାଟି ଘରେ ଦୁର୍ବିସହ ଜୀବନ ବିତାଇବା ଏବଂ ତାଙ୍କୁ ଅଦ୍ୟାବଧି ଆବାସ ଯୋଜନାରେ ସାମିଲ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଅସହାୟ ଅବସ୍ଥାରେ ଥିବା ଶୁକଦେବ ଓ ତାଙ୍କ ପରିବାରକୁ କେବେ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁଛି ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।