ଜରାଜୀର୍ଣ୍ଣ ଅବସ୍ଥାରେ ନିମିନା ନୂଆଁସାହି ମୁଖ୍ୟ ରାସ୍ତା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ

ଗଞ୍ଜାମ(ଓଡିଶା ନ୍ୟୁଜ୨୪)(୦୫/୧୧): ଗ୍ରାମାଞ୍ଚଳରେ ଗମନାଗମନ ଓ ଭିତ୍ତିଭୂମି ବିକାଶ ପାଇଁ ପାଇଁ ସରକାର ପକ୍କା ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ବରାଦ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ନିମିନା ନୂଆଁସାହିକୁ ଖଣ୍ଡିଏ ପକ୍କା ରାସ୍ତା ନାହିଁ | ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ଧରି ଏଠାରେ ପାଖାପାଖି ୧୦୦ପରିବାର ବସବାସ କରୁଛନ୍ତି | କିନ୍ତୁ ଏଯାବତ ଉକ୍ତ ସାହିକୁ ଯିବାକୁ କାଦ ପଚପଚ୍ ମାଟି ରାସ୍ତାରେ ଯିବାକୁ ପଡୁଛି |

ବର୍ଷା ହେଲେ କାଦୁଅ ପାଣିରେ ଯିବା ଆସିବା କଷ୍ଟକର ହୋଇ ପଡୁଛି | ସ୍କୁଲ ଯିବା ଆସିବା ପାଇଁ ଛାତ୍ରଛାତ୍ରୀ ମାନେ ହଇରାଣ ହରକତ ହେଉଥିବା ବେଳେ ଜରୁରୀ ସମୟରେ ଆମ୍ବୁଲାନ୍ସ ଆସିବାକୁ ମଧ୍ୟ ଅନିଛା ପ୍ରକାଶ କରୁଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ସମସ୍ୟାକୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହି | ରାସ୍ତା ଉପରେ ବେଳେବେଳେ ମୋରମ ବିଛାଇ ଦେଇ ଚୁପ ବସୁଛି ପ୍ରଶାସନ | ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତି ଦଳର ନେତାମାନେ ଆସି ଲୋକଙ୍କ ସମସ୍ୟା ବୁଝିଥିଲେ | ସାହି ବାସିନ୍ଦା ଯିବା ଆସିବା ପାଇଁ ଏକ ନିତିଦିନିଆ ପକ୍କା ରାସ୍ତା ନିର୍ମାଣ ପାଇଁ କହିଥିଲେ | ତେବେ ନିର୍ବାଚନ ପରେ କୌଣସି ନେତାଙ୍କ ପାଦ ପଡି ନଥିବା କହିଛନ୍ତି ସାହି ବାସିନ୍ଦା | ଗମନାଗମନ ପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ପକ୍କା ରାସ୍ତା ନିର୍ମାଣ ଏହି ସାହି ବାସିନ୍ଦାଙ୍କ ପାଇଁ ସ୍ବପ୍ନ ପାଲଟିଥିବା ବେଳେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ନିମିନା ନୂଆଁସାହିବାସୀ |

Leave a Reply

This site uses Akismet to reduce spam. Learn how your comment data is processed.