ପାଗଳ କୁକୁର ଆକ୍ରମଣରେ ୩୦ ଆହତ

0
123
ପାଗଳ କୁକୁର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୩/୧୨) : ବାଲେଶ୍ୱର ଜିଲ୍ଲା ଶୂନହାଟ କଂସେଇ ମହଲରେ ଆତଙ୍କ ଖେଳାଇଛି ପାଗଳା କୁକୁର । ଆଜି ସକାଳୁ ପାଗଳ କୁକୁର ଆକ୍ରମଣରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ଜଣାଯାଇଛି ।

ସେମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କୁନି କୁନି ପିଲା ବି ଅଛନ୍ତି । ପାଗଳ କୁକୁର ଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଆଜି ସକାଳୁ ସକାଳୁ ସବୁ ଦିନ ପରି ଚଳଚଞ୍ଚଳ ହୋଇ ଉଠିଥିଲା ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୪ ନମ୍ବର ୱାର୍ଡର ଶୂନ ହାଟ କଂସେଇ ମହଲା । କିଛି ଲୋକେ ମର୍ଣ୍ଣିୱାକ ଯାଉଥିବା ବେଳେ ପିଲାମାନେ ସ୍କୁଲ ବାହାରିଥିଲେ । ମହିଳାମାନେ ବି ନିଜ ଘର କାମରେ ବ୍ୟସ୍ତ ଥିଲେ ।

ଏହି ସମୟରେ ହଠାତ୍‌ ମାଡ଼ି ଆସିଲା ପାଗଳା କୁକୁର। କାହା ହାତ ତ କାହା ଜଂଘ ତ ଆଉ କାହା ଗୋଡ଼ରୁ ମାଂସ ପୁଳା ପୁଳା ଝାମ୍ପି ନେଇଛି । କୁକୁରଟି ପଛରୁ ଲୋକଙ୍କ ଉପରକୁ ଡେଇଁ ଅତର୍କିତ ଆକ୍ରମଣ କରୁଥିବାରୁ ଲୋକେ ନିଜକୁ ବଞ୍ଚାଇବାକୁ ସମୟ ପାଇପାରୁ ନାହାନ୍ତି। କୁକୁର ଆକ୍ରମଣରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଛୋଟ ଛୋଟ ଶିଶୁ ବି ଅଛନ୍ତି ।

କୁକୁର କାମୁଡ଼ାର ଶିକାର ଲୋକେ ସକାଳୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ପୂର୍ବାପେକ୍ଷା ସେମାନେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ପ୍ରାୟ ୪,୫ ଜଣଙ୍କ କ୍ଷତ ଗଭୀର ହୋଇଥିବା ସେ କହିଛନ୍ତି । ଏ ନେଇ ସ୍ଥାନୀୟ ଲୋକେ ବାଲେଶ୍ୱର ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କୁ ଫୋନ୍‌ କରିବାରୁ ସେ କିନ୍ତୁ ନିଜ ମୁଣ୍ଡରୁ ସବୁ ଦାୟିତ୍ୱକୁ ଖସାଇ ଦେଇଥିଲେ । ଏପରିକି କୁକୁର ଧରିବା ମ୍ୟୁନିସିପାଲିଟିର କାମ ନୁହେଁ, ଆପଣ ଚାହିଁଲେ ପିଟି ପିଟି ମାରନ୍ତୁ, ନଚେନ ବିଷ ଦେଇ ମାରି ଦିଅନ୍ତୁ ବୋଲି କହିଥିଲେ ।

ଆଜି ସକାଳେ ପାଗଳା କୁକୁରଟି ଜଣଙ୍କ ପରେ ଜଣଙ୍କୁ କାମୁଡ଼ିବାରୁ ଉତ୍ତ୍ୟକ୍ତ ଲୋକେ ଏକ କୁକୁରକୁ ପିଟି ମାରି ଦେଇଛନ୍ତି । ତେବେ ସେ ପାଗଳା କୁକୁର ନା ନୁହେଁ ତାହା ଏବେ ଦ୍ୱଦ୍ୱରେ ରହିଛି । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେ ଛୋଟ ଛୋଟ ପିଲାଙ୍କୁ ବି ବାହାରକୁ ଛାଡ଼ୁ ନାହାଁନ୍ତି ।