୩ ଗୋଲ୍ଡ ମେଡାଲିଷ୍ଟ : ବାପା-ପୁଅ ଓ ଝିଅ

0
126
୩ ଗୋଲ୍ଡ ମେଡାଲିଷ୍ଟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୦୩/୧୨) : ୩ ଗୋଲ୍ଡ ମେଡାଲିଷ୍ଟ ବାପା-ପୁଅ ଓ ଝିଅ । ବାପା ଚାମ୍ପିୟନ୍, ପୁଅ ବି ଚାମ୍ପିୟନ ଓ ଝିଅ ସୁପର ଚମ୍ପିୟନ । ଗୋଟିଏ ମଞ୍ଚରେ ସମାନ ଅତିଥିଙ୍କ ଠାରୁ ବାପା, ପୁଅ ଓ ଝିଅ ହାତେଇଛନ୍ତି ପଦକ ।

୩ ଗୋଲ୍ଡ ମେଡାଲିଷ୍ଟ ବାପା-ପୁଅ ଓ ଝିଅ ହାତେଇଛନ୍ତି ପଦକ । ଏହି ପଦକ ପୁଣି ରୌପ୍ୟ କି କାଂସ୍ୟ ନୁହେଁ, ୩ ଜଣ ଯାକ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଜୟପୁରର ବିଶ୍ୱନାଥ ନାୟକଙ୍କ ଘରେ ଏବେ ତିନି ଜଣ ଗୋଲ୍ଡ ମେଡାଲିଷ୍ଟ । ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ପାୱାରଲିଫଟିଂକୁ ନିଜର ନିଶା ଭାବେ ଆପଣାଇ ନେଇଛନ୍ତି ।

କେବଳ ସେମାନେ ଆପଣାଇ ନାହାନ୍ତି, ବରଂ ବାପାଙ୍କ ଭଳି ପଦକ ପରେ ପଦ ହାତେଇ ଚାଲିଛନ୍ତି । ଗୋଟିଏ ଘରେ ୩ ଜଣ ରହୁଥିଲେ ବି କେହି ବି କାହାଠାରୁ କମ୍ ନୁହଁନ୍ତି । ଜୟପୁର ସୌରା ସାହିରେ ରୁହନ୍ତି ବିଶ୍ୱନାଥ ନାୟକଙ୍କ ପରିବାର । ପାୱାରଲିଫଟିଂ ବା ଶକ୍ତି ଉତ୍ତୋଳନରେ ମାଷ୍ଟର ହେଉଛନ୍ତି ବାପା, ଝିଅ ଏବଂ ପୁଅ ।

ନିକଟରେ ରାୟଗଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତିନି ଜଣ ଯାକ ମାରିଛନ୍ତି ବାଜି । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜ ନିଜ ବିଭାଗରେ ହୋଇଛନ୍ତି ଏକ ନମ୍ବର । ନିଜ ପିଲାଙ୍କ ସହ ଗୋଟିଏ ଷ୍ଟେଜରେ ନିଜର ଦକ୍ଷତା ପ୍ରଦର୍ଶନ କରି ବାପା ବିଶ୍ୱନାଥ ମଧ୍ୟ ବେଶ ଖୁସି ହୋଇଯାଇଛନ୍ତି ।

ସେ କହିଛନ୍ତି, “କଳିଙ୍ଗ ଷ୍ଟେଟ ପାୱାର ଲିଫଟିଂରେ ଜୟପୁରର ୨୫ ଜଣ ଭାଗ ନେଇଥିଲେ । ସବୁ ପିଲା ଭଲ ପ୍ରଦର୍ଶନ କରିଛନ୍ତି । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ମୁଁ, ମୋ ପୁଅ ଓ ମୋ ଝିଅ ଗୋଟିଏ ମଞ୍ଚରେ ନିଜର କଳାକୃତି ଦେଖାଇଥିଲୁ । ମୋ ପୁଅ ୩ ଟି ବିଭାଗରେ ୩ ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଝିଅ ଗୋଟିଏ ସ୍ୱର୍ଣ୍ଣ ଜିତିଛି । ମୁଁ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଓ ୨ ଟି ରୌପ୍ୟ ପଦକ ହାତେଇଛି ।

+୨ରେ ପଢ଼ିବା ବେଳ ଠାରୁ ମୋର ଏହି ଗେମ୍‌ ପ୍ରତି ଆଗ୍ରହ ଥିଲା । କିନ୍ତୁ ସଫଳତା ବହୁତ ବିଳମ୍ବରେ ମିଳିଲା । ଏବେ ପୁଅ ଓ ଝିଅଙ୍କ ସହ ଏକାଠି କାମ କରୁଥିବାରୁ ବେଶ ଖୁସି ଲାଗୁଛି । ଜୟପୁରରୁ ପ୍ରତିଯୋଗିତାକୁ ଯାଇଥିବା ୨୫ ଜଣ ଅତିଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ବିଶେଷ କରି ଝିଅଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା । ଜଗା ସାହୁ ଓ ଶ୍ରୀନିବାସ ସେଠୀ ମଧ୍ୟ ଭଲ ପ୍ରଦର୍ଶନ କରି ପଦକ ଜିତିଛନ୍ତି ।”

ବିଶ୍ୱନାଥଙ୍କ ପୁଅ ବିବେକଙ୍କ ବୟସ ୧୮ ଓ ୧୧ ବର୍ଷର ଝିଅ ବୈଭବୀ ବାପାଙ୍କ ସହ ମିଶି ସବୁବେଳେ ଅଭ୍ୟାସ କରନ୍ତି । ପ୍ରତିଦିନ ସକାଳେ ବାପାଙ୍କ ସହ ମିଶି ଉଭୟ ପାୱାର ଲିଫଟିଂ କରନ୍ତି । ଘରେ କିନ୍ତୁ ଅଭ୍ୟାସ ବେଳେ ବାପାଙ୍କୁ ଗୁରୁ ବୋଲି ସମ୍ବୋଧନ କରନ୍ତି ବିବେକ ଓ ବୈଭବୀ ।

ବିଶ୍ୱନାଥଙ୍କ ସହ ଅନ୍ୟ ଖେଳାଳି ବି ଘଣ୍ଟା ଘଣ୍ଟା ପରିଶ୍ରମ କରନ୍ତି । ଯାହା ଏବେ କଳିଙ୍ଗ ଷ୍ଟେଟ ପାୱାରର ରେଜଲ୍ଟରୁ ଦେଖିବାକୁ ମିଳିଛି । ପୂର୍ବରୁ ବିଶ୍ୱନାଥ ଓ ଝିଅ ବୈଭବୀ ଅନେକ ମେଡାଲ୍ ଆଣିଥିଲେ । ଗତ ଅଗଷ୍ଟ ମାସରେ ଭୁବନେଶ୍ୱରରେ ଆୟୋଜିତ ରେଲେୱେ ଓଡ଼ିଶା ଷ୍ଟେଟ୍ ଚାମ୍ପିୟନଶିପରେ ବାଜି ମାରିଥିଲେ ଉଭୟ ବିଶ୍ୱନାଥ ଓ ବୈଭବୀ । ଆଉ ଏବେ ପୁଅ ବି ଡେବ୍ୟୁରେ କମାଲ କରି ଡବଲ ସ୍ୱର୍ଣ୍ଣ ହାତେଇଛନ୍ତି । ଆଗାମୀ ଦିନରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗର୍ବ ଆଣିବାକୁ ବିବେକ ଆଶା ରଖିଛନ୍ତି ।