ଟ୍ରକ୍‌ ପଛରେ ପିଟି ହେଲା କାର୍‌ : ଆଖି ବୁଜିଲେ ୪ ଜଣ

0
107
ଟ୍ରକ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୧/ ୧୨) : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପିଟି ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି । କାର୍‌ଟି ଆନ୍ଧ୍ରରୁ ଆସୁଥିବା ବେଳେ ଆଜି ଭୋରରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏକ ଟ୍ରକ୍‌ ଟି ଖରାପ ହୋଇ ଯାଇଥିବାରୁ NH-୧୬ ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା । ଭୋରରୁ ଭୋରରୁ କୁହୁଡ଼ି ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛପଟେ ପିଟି ହୋଇ ଯାଇଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ୨ ଯୁବକ ଓ ୨ ଯୁବତୀ ଥିବା ଦେଖିବାକୁ ପାଇଥିଲେ । ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି କାର୍‌ ଭିତରୁ ୪ ଜଣଙ୍କୁ ବାହାର କରିଥିବା ବେଳେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ସମସ୍ତ ମୃତକଙ୍କ ବୟସ ୨୫ ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି ।

ପୁଲିସ୍‌ ମୃତଦେହଗୁଡ଼ିକୁ ଖୋର୍ଦ୍ଧା ମେଡିକାଲକୁ ପଠାଇ ଦେଇଛି । ତେବେ ସେମାନଙ୍କ ପରିଚୟ ଜଣାପଡ଼ିନି । ଘଟଣାସ୍ଥଳରୁ ଗୋଟିଏ ମୋବାଇଲ ଫୋନ ମିଳିଛି । ସେଥିରୁ ପୁଲିସ୍‌ ସେମାନଙ୍କର ପରିଚୟ ବାହାର କରିବାକୁ ଉଦ୍ୟମ ଜାରି ରଖିଛି । ସେମାନେ କେଉଁଠିକୁ ଓ କାହିଁକି ଆସୁଥିଲେ ସେ ନେଇ କିଛି ସୂଚନା ମିଳିନି । ଦୁର୍ଘଟଣା ଘଟାଇଥିବା କାରଟି ଆନ୍ଧ୍ରରୁ ଆସୁଥିବା ବେଳେ ଟ୍ରକ୍‌ଟିରେ ମଧ୍ୟ ଆନ୍ଧ୍ର ନମ୍ବର ରହିଛି ।