ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣୁପୁର : ୨୯/୧୧/୨୨): ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ କତୁରୁ ଗ୍ରାମର ଚାଷୀ ଶିବ କୁମାର ଫୁଲ ଚାଷ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଗୁଣୁପୁର ଅଂଚଳରେ ଫୁଲ ବିକ୍ରି କରିବା ସହ ଅନ୍ଧ୍ରରେ ମଧ୍ୟ ଫୁଲ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ପୂର୍ବରୁ ପନିପରିବା ଓ ଧାନ ଚାଷ କରି କ୍ଷତି ସହୁଥିବା ବେଳେ ବର୍ତମାନ ଫୁଲ ଚାଷ ତାଙ୍କ ଆର୍ଥିକ ମାନଦଣ୍ଡ ବଦଳାଇ ଦେଇଛି । ସମ୍ପୂର୍ଣ ଜୈବିକ ପଦ୍ଧତିରେ ଫୁଲଚାଷ କରୁଥିବାରୁ ଦିନକୁ ଦିନ ଫୁଲର ଚାହିଦା ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଗୁଣୁପୁର ଅଂଚଳରେ ଫୁଲଚାଷ ହେଉନଥିବାରୁ ଲୋକେ ଫୁଲ ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିଲେ । ବର୍ତମାନ ଆମ ଅଂଚଳରେ ଫୁଲଚାଷ ହେବ ଦ୍ୱାରା ଗୁଣୁପୁର ବଜାରରେ ଆଉ ଆନ୍ଧ୍ର ଫୁଲ ଦେଖିବାକୁ ମିଳୁନି । ଶିବ କୁମାରଙ୍କ କହିବା ମୁତାବକ ପ୍ରତ୍ୟେକ ଚାଷୀ ପନିପରିବା ସହ କିଛି କିଛି ଫୁଲଚାଷ କରିବା ଆବଶ୍ୟକ । ଉଦ୍ୟାନ ବିଭାଗର ସହାୟତା ଓ ଜ୍ଞାନ କୌଶଳ ଶିବ କୁମାରଙ୍କୁ ଫୁଲ ଚାଷ କରିବାରେ ସାହାଯ୍ୟ କରିଥିବା ସେ କହିଛନ୍ତି ।
ଆଗାମୀ ଦିନରେ ଗେଣ୍ଡୁ ଓ ସେବତୀ ଫୁଲ ଛଡା ଗୋଲାପ ଫୁଲ ଚାଷ କରିବାକୁ ସ୍ଥିର କରିଛନ୍ତି । ଫୁଲ ଚାଷ କରି ଏକର ପିଛା ୮୦ ରୁ ୯୦ ହଜାର ଟଙ୍କା ଲାଭ ପାଉଥିବା ଶିବ କହିଛନ୍ତି । ତେଣୁ ଚାଷୀ ଭାଇ ଭଉଣୀ ମାନଙ୍କୁ ପନିପରିବା ଚାଷ ସହିତ ଫୁଲଚାଷ କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଫଳରେ ଆମକୁ ଫୁଲ ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡିବନି । ଫୁଲଚାଷ କରି ସଫଳତା ହାସଲ କରି ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଥିବା ଚାଷୀ ଶିବ କୁମାର , ଆଗାମୀ ଦିନରେ ଗୁଣୁପୁର ଅଂଚକରେ ଗୋଷ୍ଠୀ ମାଧ୍ୟମରେ ଫୁଲ ଚାଷ କରି ଓଡ଼ିଶାର ବିଭିନ୍ନ ସହରରେ ଫୁଲ ବ୍ୟବସାୟ ଲରିବା ଲକ୍ଷ ରଖିଛନ୍ତି ।