Thursday, March 28, 2024

Top 5 This Week

Related Posts

କଲେଜରୁ ସ୍କୁଲ୍‌କୁ ଡେଇଁଲା ରାଗିଂ, ଥାନାର ଦ୍ୱାରସ୍ଥ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରର ମା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୬/୧୧) : ରାଗିଂ ପରି ଲଜ୍ଜାଜନକ ଘଟଣା ବନ୍ଦ ହେବା ନାଁ ଧରୁନି । ପୂର୍ବରୁ କଲେଜରେ ଏହି ଘଟଣା ଘଟୁଥିବା ନଜରକୁ ଆସୁଥିବା ବେଳେ ଏବେ କଲେଜରୁ ସ୍କୁଲ୍‌କୁ ଡେଇଁଲା ରାଗିଂ । ସ୍କୁଲରେ ବି ଏପରି ଅମାନବୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

କଲେଜରୁ ସ୍କୁଲ୍‌କୁ ଡେଇଁଲା ରାଗିଂ, ଥାନାର ଦ୍ୱାରସ୍ଥ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରର ମା । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଗୋଷାଣି ନୂଆଗାଁ ଅଞ୍ଚଳରେ ଥିବା ଗୁରୁକୁଳ ଇଣ୍ଟନ୍ୟାସନାଲ ସ୍କୁଲରେ ଘଟିଛି । ଏ ନେଇ ନିର୍ଯାତିତ ହୋଇଥିବା ତଥା ରାଗିଂ ର ଶିକାର ହୋଇଥିବା ଜଣେ ଷଷ୍ଠ ଶ୍ରେଣୀ ପିଲାର ମା’ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଛାତ୍ରଙ୍କ ମା’ ଅନିତା ସାସମଲ ଥାନାରେ କରିଥିବା ଅଭିଯୋଗ କରି କହିଛନ୍ତି, ‘ଚାକିରି କାରଣରୁ ମୁଁ ଆର. ଉଦୟଗିରିରେ ରହୁଛି । ମୋ ପୁଅକୁ ଗୁରୁକୁଳ ଇଣ୍ଟନ୍ୟାସନାଲ ସ୍କୁଲର ହଷ୍ଟେଲରେ ଛାଡ଼ିଛି । ମାତ୍ର ସେଠାରେ କିଛି ସିନିୟର ଛାତ୍ର ତାକୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି ।’

‘ଏ ନେଇ ପିଲାଟି କାନ୍ଦି କାନ୍ଦି ଜଣାଇବାରୁ ଜୁଲାଇ ୩ ତାରିଖରେ ଏକ ମେଲ୍‌ କରି କଲେଜ ପ୍ରିନ୍ସପାଲଙ୍କୁ ଜଣାଇଥିଲି । ଏହାପରେ ବି ସେମାନଙ୍କ ଦୌରାତ୍ମ୍ୟ ବନ୍ଦ ହୋଇ ନ ଥିବା ବେଳେ ସେମାନେ ମୋ’ ପୁଅ ହାତରେ ଚେଙ୍କ ଦେଇଥିଲେ । ଏ ନେଇ ଚାଇଲ୍ଡ ହେଲପ୍‌ଲାଇନ୍‌କୁ ଜଣାଇବାରୁ ସେମାନେ ସେପ୍ଟେମ୍ବର ୨୭ରେ ସ୍କୁଲ ଯାଇଥିଲେ । ଆଉ ଆଗକୁ ଏପରି ହେବ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ।’

‘ହେଲେ ଗତକାଲି ମୁଁ ପିଲା ପାଖକୁ ଯାଇଥିବା ବେଳେ ସେଠାରେ କିଛି ସିନିୟର ତାକୁ ମାରୁଥିବା ମୋତେ କାନ୍ଦି କାନ୍ଦି କହିଥିଲା । ୱାର୍ଡେନ ସେ ଛୁଆକୁ ତାଗିଦ କରିବାରୁ ସେ ଉପର ମହଲାକୁ ପଳାଇ ଅନ୍ୟ ଛୁଆ ମାନଙ୍କୁ ଜଣାଇଥିଲା । ଏହାପରେ ମୋ’ ପୁଅ ଉପର ରୁମ୍‌କୁ ଯିବାରୁ ପ୍ରାୟ ଏକକାଳୀନ ୧୦ ଜଣ ମୋ’ ଛୁଆକୁ ଆକ୍ରମଣ କଲେ। ଏନେଇ ପଚାରିବାରୁ ସେମାନେ ମୋତେ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ’ । ହଷ୍ଟେଲରେ ପୁଅ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି ମହିଳା ଜଣକ । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ।

ପୂର୍ବରୁ ଖଲ୍ଲିକୋଟ କଲେଜ ଓ ଆଚାର୍ଯ୍ୟ ବିନାୟକ କଲେଜରୁ ମଧ୍ୟ ରାଗିଂ ଅଭିଯୋଗ ଆସିଥିଲା । ସେହିପରି ବୁର୍ଲା ଭିସୁଟର ଜଣେ ଜୁନିଅର ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ଆସିଥିଲା । ଏହି କଳୁଷିତ ପ୍ରଥା ଯୋଗୁଁ ସମ୍ପୂର୍ଣ୍ଣ ଶିକ୍ଷାନୁଷ୍ଠାନ ବଦନାମ ହେଉଥିବାରୁ ତୁରନ୍ତ ଏହାକୁ ଉଚ୍ଛେଦ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ବିଜେପି ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

Popular Articles