କମିଯାଉଛି ମାଟି ତିଆରି ଦୀପର ଚାହିଦା, ଦେଖନ୍ତୁ ରିପୋର୍ଟ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୪-୧୦-୨୦୧୯): ଆସୁଛି ଆଲୋକର ପର୍ବ ଦୀପାବଳି ସମ୍ପୂର୍ଣ ଭାରତବର୍ଷରେ ଏହି ପର୍ବଟିକୁ ସାମୁହିକ ଭାବେ ମହାଆଡମ୍ବର ସହିତ ପାଳିତ ହୋଇଥାଏ | ଏହି ପର୍ବରେ ଦୀପ ଜାଳି ଲୋକେ ପର୍ବ ପାଳନ କରିଥାନ୍ତି | କେଉଁ ଆଦିମକାଳରୁ ଏହି ଦୀପଦାନର ପରମ୍ପରା ପ୍ରଚଳିତ ହୋଇ ଆସୁଅଛି | ତାହାର କୌଣସି ନିର୍ଦ୍ଧିଷ୍ଟ ସମୟ ନିର୍ଧାରିତ ହୋଇପାରିନାହିଁ |ଏହି ପର୍ଵଟିର ନାମ ଅନୁସାରେ ଦୀପ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଛି |

ଆମ ପୁରୁଣା ପରମ୍ପରା ଅନୁଯାୟୀ ସମ୍ପୂର୍ଣ ଭାରତ ବର୍ଷରେ ଘରେ ଘରେ ମାଟି ନିର୍ମିତ ଦୀପ ଲଗାଯାଇଥାଏ | କିନ୍ତୁ, ଆଜିର ସମସ୍ୟା ଭିନ୍ନ | ଆମେ ଆମ ପରମ୍ପରା ଅନୁଯାୟୀ ଘରକୁ ଆଲୋକିତ ତ କରିଦେଉ |କିନ୍ତୁ, ଭୁଲିଯାଉଛୁ ମାଟି ନିର୍ମିତ ଦୀପକୁ | ପଶ୍ଚାତ୍ୟ ସଭ୍ୟତା କୁ ଅନୁସରଣ କରି ମାଟିଦୀପ ସ୍ଥାନରେ ବ୍ୟବହାର ହଉଛି ମହମବତୀ | ଯାହାକି ପରିବେଶକୁ ଦୂଷିତ କରିବା ସହିତ ହାନି କାରକ କେମିକାଲ ମିଶ୍ରିତ ହୋଇ କରାଯାଇଥାଏ | କିନ୍ତୁ, କ୍ଷଣିକ ସୁବିଧାକୁ ଦୃଷ୍ଟିରେ ରଖି ଆମେ ନେଇ ଆସୁ ମହମବତୀ, ପଡୋଶୀ ରାଷ୍ଟ୍ର ନିର୍ମିତ ଲିଚୁଲାଇଟ ମାଳ | ଆମ ଦେଶର ପର୍ଵ କିନ୍ତୁ ଲାଭବାନ ହେଉଛନ୍ତି ପଡୋଶୀ ରାଷ୍ଟ୍ର | ଏହିସବୁ ଜାକଜକମ ଭିତରେ ଆମେ ଭୁଲିଯାଇଛୁ ସେହି ପାରିଶ୍ରମି ହାତକୁ ଯାହାର ହାତର ସ୍ବର୍ଶରେ ସାଧାରଣ ମାଟି ଦୀପର ରୂପ ନେଇଥାଏ | ଅନ୍ୟର ଘରକୁ ଆଲୋକିତ କଲେ ନିଜର ଘରେ ଚୁଲି ଲାଗିବା ସହିତ ନିଜ ଛୁଆପିଲାଙ୍କ ମୁହଁରେ ଦୁଇଓଳା ଦୁଇମୁଠା ଖାଇବାକୁ ଦେଇଥାଏ କୁମ୍ଭାର ପରିବାରକୁ | ପରିବାର ସ୍ବପ୍ନ ନେଇ କୁମ୍ଭକାର ଲାଗିପଡେ, ମାଟି ସହିତ ମାଟି ହୋଇ ମାଟିକୁ ବିଭିନ୍ନ ରୂପଦେବାରେ କିନ୍ତୁ, ସତରେ କଣ ତା ସ୍ବପ୍ନ ସାକାରହୁଏ |

ଆଜିର ସଭ୍ୟସମାଜ ବଜାରକୁ ଗଲେ ମାଟି ଦୀପ ବଦଳରେ ନେଇ ଆସୁଛନ୍ତି ମହମବତୀ ଓ ଲିଚୁମାଳ | ମାଲାମାଲ ହୁଅନ୍ତି ପଡୋଶୀ ଦେଶ କିନ୍ତୁ, ଭୋକବିକଳ ରେ ରୁହନ୍ତି ଆମଦେଶର ପାରମ୍ପରିକ ମାଟି କଳାକାର | ପବିତ୍ର ଏହି ଆଲୋକର ଗଣପର୍ବରେ ଦୀପାବଳିକୁ ଆମ ଘର ଆଲୋକିତ କରିବା ସହିତ, କୁମ୍ଭକାରଙ୍କ ପରିବାରକୁ ମଧ୍ୟ ମାଟି ଦୀପ କିଣି ପରିବେଶ ସୁରକ୍ଷା କରିବା ସହିତ ମାଟିରେ ମାଟିର ଦୀପକୁ ସମ୍ବାନ ଜଣାଇବା | କୌଣସି କୁମ୍ଭକାରଙ୍କ ପରିବାର ଭୋକରେ ନ ରହୁ | ମାଟିରେ ତିଆରି କରିଥିବା ପରିଶ୍ରମ ର ପାରିଶ୍ରମିକ ମିଳୁ ଏହି ଚିନ୍ତାଧାରାକୁ ପ୍ରେରଣା ମିଳୁ | ଆମର ମୂଳପରମ୍ପରାର ବିଲୁପ୍ତ ନ ହେଉ | ଆମ ପରିବେଶ ଦୂଷିତ ନ ହେଉ | ଏହି ଆଲୋକର ପର୍ଵ ସମସ୍ତଙ୍କ ଘରକୁ ଆଲୋକିତ କରୁ | ଏହି ସାମାନ୍ୟ ସହଯୋଗ ବହୁତ ପରିବାରଙ୍କ ମୁଖରେ ହସଦେବ | ଆମ ଭାରତୀୟ ପରମ୍ପରା କୁ ବଜାୟୀ ରଖିବା | ପ୍ଲାଷ୍ଟିକ ଓ ମହମବତୀକୁ ବର୍ଜନ କରିବା |

Comments are closed.